କାଲି ଆସିଥିଲା ୧୦ ହଜାର, ଆଜି ୧୧ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କୋଭିଡ୍‌-୧୯ ସଂକ୍ରମଣ । ଗତକାଲି ଦୈନିକ ମାମଲା ୧୦ ହଜାର ଟପିଥିବା ବେଳେ ଆଜି ଏହି ସଂଖ୍ୟା ୧୧,୦୦୦ ଅତିକ୍ରମ କରିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ଦ୍ବାରା ଜାରି ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୧୦୯ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ୨୩୬ ଦିନ ପରେ ସର୍ବାଧିକ । ଏଥିସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୦୦୦ ଟପିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କୋଭିଡ୍ ମାମଲା ୪,୪୭,୯୭,୨୬୯କୁ ବୃଦ୍ଧି ପାଇଛି। କରୋନାରେ ଆଉ ୨୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୫,୩୧,୦୬୪କୁ ବୃଦ୍ଧି ପାଇଛି।

ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୫.୦୧% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୪.୨୯% ରେକର୍ଡ କରାଯାଇଛି ।

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୨,୧୬,୫୮୩। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୦% ରହିଛି।

Comments are closed.