ଧରାପଡ଼ିଲା ‘ସୁପର ଚୋର’ ବଣ୍ଟି, ଜୀବନୀ ଉପରେ ହୋଇସାରିଛି ଫିଲ୍ମ

ନୂଆଦିଲ୍ଲୀ: ‘ସୁପର ଚୋର’ ନାମରେ ଜଣାଶୁଣା ବଣ୍ଟି ଓରଫ୍ ଦେବେନ୍ଦ୍ରକୁ ଦିଲ୍ଲୀ ପୋଲିସ ଗିରଫ କରିଛି । କାନପୁର ସହର ପର୍ଯ୍ୟନ୍ତ ପିଛା କରିବା ପରେ ତାକୁ ପୋଲିସ ଧରିବାରେ ସଫଳ ହୋଇଥିଲା । ନିକଟରେ ଗ୍ରେଟର କୈଲାଶର ଦୁଇଟି ଘରୁ ଚୋରି ଘଟଣାରେ ବଣ୍ଟିର ସମ୍ପୃକ୍ତି ଥିଲା । ପୋଲିସ ବଣ୍ଟି ନିକଟରୁ ୨ଟି ଚୋରି ଲାପଟପ୍, ୩ ମୋବାଇଲ୍ ଫୋନ୍, ୫ ଏଲସିଡି ଏବଂ ଅନ୍ୟ ଚୋରି ସାମଗ୍ରୀ ଜବତ କରିଛି |

ବଣ୍ଟି ନାଁରେ ସାରା ଦେଶରେ ୫୦୦ରୁ ଅଧିକ ଚୋରି ମାମଲା ରହିଛି । ଚୋରି ପାଇଁ ବଣ୍ଟି ସାରା ଦେଶରେ ବେଶ୍ ଚର୍ଚ୍ଚିତ । ତା’ ଉପରେ ଏକ ଫିଲ୍ମ (ଓୟେ ଲକି, ଲକି ଓୟେ) ମଧ୍ୟ ନିର୍ମିତ ହୋଇସାରିଛି । ଏପରିକି ସେ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍’କୁ ମଧ୍ୟ ଆମନ୍ତ୍ରିତ ହୋଇଥିଲେ। ତେବେ ସେ ଅଧାରୁ ଏହି ଶୋ’ ଛାଡ଼ି ଦେଇଥିଲେ | ୨୦୧୩ରେ କେରଳର ଥିରୁଭନନ୍ତପୁରମରେ ଜଣେ ବ୍ୟବସାୟୀଙ୍କ ଘରୁ ଚୋରି ଅଭିଯୋଗରେ ବଣ୍ଟିଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା । ବଣ୍ଟି ବ୍ୟବସାୟୀଙ୍କ ଘରୁ ୨୮ ଲକ୍ଷ ମୂଲ୍ୟର ଏକ କାର୍, ଲାପଟପ୍, ଦୁଇଟି ମୋବାଇଲ ଚୋରି କରି ନେଇଥିଲେ। ଚୋରି ଘଟଣାର ୬୧୮ ଦିନ ପରେ କେରଳ ପୋଲିସ ବଣ୍ଟିଙ୍କୁ ଗିରଫ କରିଥିଲା।

ପୋଲିସ ସୂତ୍ର ଅନୁଯାୟୀ, ବଣ୍ଟି ଏକ ଖାସ୍ ଢ଼ଙ୍ଗରେ ଚୋରି କରିଥଏ। ସେ ରାତି ୨ ଟାରୁ ସକାଳ ୬ଟା ମଧ୍ୟରେ ଚୋରି କରିଥାଏ | ଯେକୌଣସି ଘରେ ପଶିବାକୁ ବଣ୍ଟି ଏକ ଲମ୍ବା ସ୍କ୍ରୁ ଡ୍ରାଇଭର କିମ୍ବା ଲିଭର ସହିତ କବାଟ ଓ ଝରକା ଖୋଲିବାକୁ ଚେଷ୍ଟା କରେ । ଏହାଛଡ଼ା ସେ ଅନ୍ୟ କୌଣସି ଉପକରଣ ବ୍ୟବହାର କରେ ନାହିଁ | ବଣ୍ଟି ସାଧାରଣତଃ ବିଳାସପୂର୍ଣ୍ଣ କାର, ବିଦେଶୀ ଘଣ୍ଟା, ପ୍ରାଚୀନ ଆସବାବପତ୍ର, ଅଳଙ୍କାର ଆଦି ଜିନିଷକୁ ଟାର୍ଗେଟ୍ କରିଥାଏ ।

Comments are closed.