ଗାନ୍ଧୀଙ୍କ ପରେ ଏନସିଇଆରଟି ପାଠ୍ୟ ପୁସ୍ତକରୁ ହଟିଲା ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଅଧ୍ୟାୟ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ତଥ୍ୟ ପରେ ଏବେ ଏନସିଇଆରଟି ନୂଆ ପାଠ୍ୟ ପୁସ୍ତକରୁ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ନାଁ ମଧ୍ୟ ହଟାଇ ଦିଆଯାଇଛି । ସୂଚନାନୁସାରେ, ଏକାଦଶ ଶ୍ରେଣୀର ରାଜନୀତି ବିଜ୍ଞାନର ନୂଆ ପୁସ୍ତକରୁ ବାଦ୍ ଦିଆଯାଇଛି ମୌଲାନା ଅବୁଲ କଲାମ ଆଜାଦଙ୍କ ନାମ । କେବଳ ଏତିକି ନୁହେଁ, ଜମ୍ମୁ କାଶ୍ମୀର ସମ୍ବନ୍ଧୀୟ ତଥ୍ୟରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି।

ନୂଆ ପାଠ୍ୟ ପୁସ୍ତକରେ ଜମ୍ମୁ କାଶ୍ମୀର ଓ ଧାରା ୩୭୦ ସମ୍ବନ୍ଧୀୟ କିଛି ସୂଚନା ମଧ୍ୟ ହଟାଇ ଦିଆଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକାଦଶ ଶ୍ରେଣୀର ପୁରୁଣା ରାଜନୀତି ବିଜ୍ଞାନ ପୁସ୍ତକର ପ୍ରଥମ ଅଧ୍ୟାୟରେ ସମ୍ବିଧାନ ବିଷୟରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଲିଖିତ ଏକ ପ୍ରବନ୍ଧ ଥିଲା, ଯାହାକୁ ଏବେ ହଟାଇ ଦିଆଯାଇଛି।

ମୌଲାନା ଅବୁଲ କଲାମ ଆଜାଦ କିଏ ?

ମୌଲାନା ଅବୁଲ କଲାମ ଆଜାଦ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ଥିଲେ। ସେ ୧୯୪୬ରେ ସମ୍ବିଧାନ ସଭା ନିର୍ବାଚନରେ ​​କଂଗ୍ରେସର ନେତୃତ୍ୱ ନେଇଥିଲେ। ସେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପରି ଅନେକ ସାମାଜିକ ସଂସ୍କାର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଜାମିଆ ମିଲିଆ ଇସଲାମିଆ ବ୍ୟତୀତ ଅବୁଲ କଲାମ ଦେଶର ଅନେକ ଆଇଆଇଟି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକଚର ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ କେନ୍ଦ୍ର ସରକାର ମୌଲାନା ଅବୁଲ କଲାମ ଆଜାଦ ନ୍ୟାସନାଲ ଫେଲୋସିପ (ଏମ୍ଏଏନଏଏଫ୍) ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଥିଲେ। ଏହି ଫେଲୋସିପ୍ ଯୋଜନା ଦେଶର ସମସ୍ତ ଧାର୍ମିକ ସଂଖ୍ୟାଲଘୁ ଛାତ୍ରମାନଙ୍କ ପାଇଁ ୨୦୦୯ରେ ଆରମ୍ଭ ହୋଇଥିଲା ।

‘ଏନସିଇଆରଟି’ର ନୂଆ ପାଠ୍ୟ ପୁସ୍ତକରେ ଜମ୍ମୁ କାଶ୍ମୀର ଏବଂ ଧାରା ୩୭୦ ସମ୍ବନ୍ଧୀୟ କିଛି ସୂଚନାକୁ ମଧ୍ୟ ହଟାଇ ଦିଆଯାଇଛି। ମହାତ୍ମା ଗାନ୍ଧୀ, ନାଥୁରାମ ଗଡସେ ଏବଂ ଆରଏସଏସ ସମ୍ବନ୍ଧୀୟ କିଛି ତଥ୍ୟକୁ ମଧ୍ୟ ଏନସିଇଆରଟି ପୁସ୍ତକରୁ ବାଦ୍ ଦିଆଯାଇଛି। କେନ୍ଦ୍ର ସରକାର ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରର ସ୍ବୟଂଶାସିତ ମାନ୍ୟତାକୁ ଉଚ୍ଛେଦ କରି ଧାରା ୩୭୦କୁ ରଦ୍ଦ କରିଦେଇଥିଲେ। ଦୁଇମାସ ପରେ ଅର୍ଥାତ୍ ଅକ୍ଟୋବର ୨୦୧୯ରେ ଏ‌ହି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା |

ନିକଟରେ ଏନସିଇଆରଟି ଦ୍ବାଦଶ ଶ୍ରେଣୀ ଇତିହାସ ବହିରୁ ‘ମୋଗଲ ସାମ୍ରାଜ୍ୟ’ ଅଧ୍ୟାୟ ହଟାଇ ଦେଇଥିଲା । ଏହାଛଡ଼ା ଦେଶର ସବୁଠୁ ପୁରାତନ ଦଳ କଂଗ୍ରେସ ଉପରେ ଏକ ଅଧ୍ୟାୟକୁ ବାଦ୍ ଦେଇଥିଲା । ଦେଶର ୨୦୦ ଐତିହାସିକ ଓ ଶିକ୍ଷାବିତ୍ ଏକ ମିଳିତ ବିବୃତ୍ତି ଜାରି କରି ଏନସିଇଆରଟିର ଏପରି ନିଷ୍ପତ୍ତିକୁ ନିନ୍ଦା କରିଥିଲେ ।

Comments are closed.