ପେଗାସସ୍ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌, ୧୦ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦାବି କରି ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଇସ୍ରାଏଲ ଗୁଇନ୍ଦା ସଫ୍ଟୱେର ‘ପେଗାସସ୍‌’ର ବ୍ୟବହାର ସରକାର ନିଜ ନାଗରିକଙ୍କ ଉପରେ କରିଛନ୍ତି କି ନାହିଁ ତାହାର ଜବାବ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏଥିପାଇଁ କେନ୍ଦ୍ରକୁ ୧୦ ଦିନ ସମୟ ଦେଇଛନ୍ତି କୋର୍ଟ । କେନ୍ଦ୍ରର ଜବାବ ପରେ ଏହି ମାମଲାର ତଦନ୍ତ ପାଇଁ କମିଟି ଗଠନ ଉପରେ ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ପେଗାସସ୍ ଗୁଇନ୍ଦାଗିରି ଜାତୀୟ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆମେ ଜାତୀୟ ସୁରକ୍ଷା ଉପରେ ସାଲିସ୍ କରିବାକୁ ଚାହୁଁ ନାହୁଁ । କିନ୍ତୁ ଲୋକଙ୍କ ଫୋନ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ କେବଳ ସରକାର ହିଁ ଜବାବ ଦେଇପାରିବେ ।
କେନ୍ଦ୍ର ତରଫରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ, ପୋଗସସ୍ ମାମଲାରେ ତଥ୍ୟ ସାର୍ବଜନୀନ କଲେ ଜାତୀୟ ସୁରକ୍ଷା ପ୍ରତି ବିପଦ ରହିଛି । ସବୁ ଆବେଦନକାରୀ ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରିବାକୁ ଚାହୁଁଛନ୍ତି । ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ ସରକାର ପେଗାସସ୍ ସ୍ପାଏୱେର ବ୍ୟବହାର କରିଥିଲେ ନା ନାହିଁ । ଏହି ସଫ୍ଟୱେରର ବ୍ୟବହାର କରାଯାଉଛି ନା ନାହିଁ ତାହା କୌଣସି ଦେଶ ଜାତୀୟ ସୁରକ୍ଷା ଦୃଷ୍ଟିରୁ ପ୍ରକାଶ କରିନଥାନ୍ତି । ଆମେ କିଛି ଲୁଚାଇବାକୁ ଚାହୁଁ ନାହୁଁ । କୋର୍ଟଙ୍କ ନେତୃତ୍ୱାଧୀନ କମିଟି ଆଗରେ ଆମେ ସବୁ ତଥ୍ୟ ରଖିବୁ । କିନ୍ତୁ ସତ୍ୟପାଠ ମାଧ୍ୟମରେ ସବୁ ତଥ୍ୟ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି ସଲିସିଟର ଜେନେରାଲ ଯୁକ୍ତି କରିଛନ୍ତି ।

ଏହାର ଜବାବରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ଜାତୀୟ ସୁରକ୍ଷା ପ୍ରତି ସାଲିସ୍ କରିବାକୁ ଚାହୁଁ ନାହୁଁ । କିନ୍ତୁ ଲୋକଙ୍କ ଫୋନ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହେଉଛି । କେବଳ ଜଣେ ସ୍ୱୀକୃତପ୍ରାପ୍ତ ସଂସ୍ଥା ଏବଂ ଅଧିକାରୀ ହିଁ ଫୋନ୍ ହ୍ୟାକିଂ କରିପାରିବେ । ଏନେଇ ସରକାର ଜବାବ ଦାଖଲ କରିବା ଉଚିତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୦ ଦିନ ପରେ ହେବ ।

Comments are closed.