ଋଷିକୁଲ୍ୟା ମୁହାଣରେ ଅଣ୍ଡାରୁ ଫୁଟି ବାହାରିଲେ ଅଲିଭ୍ ରିଡ୍‌ଲେ ଶାବକ 

ଛତ୍ରପୁର: ପ୍ରାୟ ୪୫ ଦିନର ବ୍ୟବଧାନ ପରେ ଦୁନିଆ ଦେଖିଛି ନୂଆ ଜୀବନ। ଧଳା ଅଣ୍ଡାର ଖୋଳପାରୁ ବାହାରି କୁନି କୁନି ପାଦରେ ସମୁଦ୍ରମୁହାଁ ହୋଇଛନ୍ତି ହଜାର ହଜାର ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍‌ଲେ ଶାବକ। ଗଞ୍ଜାମ ଜିଲ୍ଲା ତଥା ଗଞ୍ଜାମ ବ୍ଲକ୍‌ର ବଙ୍ଗୋପସାଗର ସମୁଦ୍ରତଟ- ଋଷିକୁଲ୍ୟା ମୁହାଣରେ ପ୍ରକୃତିର ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଗତ ଫେବ୍ରୁଆରୀ ମାସ ଶେଷ ସପ୍ତାହରେ ଏହି ଅଞ୍ଚଳରେ ରେକର୍ଡ ସଂଖ୍ୟାରେ ସାମୂହିକ ଅଣ୍ଡାଦାନ ହୋଇଥିଲା। ଚଳିତ ବର୍ଷର ଗଣଅଣ୍ଡାଦାନ ଗତ ୩୦ ବର୍ଷର ରେକର୍ଡ ପାର୍ କରିଥିଲା। ୬.୩୭ ଲକ୍ଷ ସଂଖ୍ୟକ ସାମୂହିକ ଅଣ୍ଡା ଦେଇଥିଲେ ଅଲିଭ୍ ରିଡ୍‌ଲେ ମା’ କଇଁଛ। ଏବେ ଋଷିକୁଲ୍ୟା ମୁହାଣ ନିକଟ ପୋଡ଼ମପେଟା ଗ୍ରାମ ସମୁଦ୍ର ବେଳାଭୂମି ବାଲିରେ ପୋତାଯାଇଥିବା ଅଣ୍ଡାରୁ ଛୁଆ ବାହାରିଛନ୍ତି। ସେମାନେ ଯେପରି ସୁରକ୍ଷିତ ଭାବେ ସମୁଦ୍ରକୁ ଯାଇପାରିବେ ସେଥିପାଇଁ ବନ ବିଭାଗ ଆବଶ୍ୟକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି।

ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରୀ ମାସରେ କେତେକ ସ୍ଥାନରେ ବିକ୍ଷୀପ୍ତ ଭାବେ ଆଗୁଆ ଅଣ୍ଡାଦାନ ହୋଇଥିଲା। ସେହି ଜାଗାରୁ ଗତ ସପ୍ତାହରେ ଅଲିଭ୍ ରିଡ୍‌ଲେ ଛୁଆ ବାହାରି ସମୁଦ୍ରମୁହାଁ ହୋଇଥିଲେ। ଆଉ ଗତକାଲି ରାତିରୁ ଲଗାତାର ସାମୂହିକ ଭାବେ ହଜାର ହଜାର କଇଁଛ ଛୁଆ ଅଣ୍ଡାରୁ ବାହାରି ସମୁଦ୍ରକୁ ଯିବାରେ ଲାଗିଛନ୍ତି। ପ୍ରାୟ ସପ୍ତାହକ ପର୍ଯ୍ୟନ୍ତ ସାମୂହିକ ଅଣ୍ଡାଦାନ ସ୍ଥଳରୁ ବହୁ ମାତ୍ରାରେ ଛୁଆ ବାହାରି ସମୁଦ୍ରମୁହାଁ ହେବେ ବୋଲି ସୂଚନା ଦେଇଛନ୍ତି ଖଲିକୋଟ ରେଞ୍ଜର୍ ସିଦ୍ଧାର୍ଥ ଶଙ୍କର ସାହୁ। ସେହିପରି ବ୍ରହ୍ମପୁର ଡିଏଫ୍ଓ ସନ୍ନ ଖୋଖରଙ୍କ ସୂଚନା ମୁତାବକ ପ୍ରତିବର୍ଷ ଋଷିକୁଲ୍ୟା ମୁହାଣରେ ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଅଲିଭ୍ ରିଡ୍‌ଲେ କଇଁଛଙ୍କ ମିଳନ ହେଉଥିବା ବେଳେ ଫେବ୍ରୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଗଣଅଣ୍ଡାଦାନ ହୋଇଥାଏ। ବାଲି ଭିତରେ ୪୫ ଦିନ ଅଣ୍ଡା ରହିବା ପରେ ଛୁଆ ଜନ୍ମ ହୋଇଥାଏ। ଏପ୍ରିଲ ମାସରେ ଅଣ୍ଡାରୁ ଛୁଆ ବାହାରିଥାନ୍ତି। ଗତ ସପ୍ତାହରେ ଆଗୁଆ ଅଣ୍ଡାଦାନ କରିଥିବା କିଛି କଇଁଛ ଅଣ୍ଡାରୁ ଛୁଆ ଜନ୍ମ ହୋଇଥିଲେ। ଏବେ ସାମୂହିକ ପ୍ରକ୍ରିୟା ଆରମ୍ଭ ହୋଇଛି। ସପ୍ତାହକ ମଧ୍ୟରେ ଲକ୍ଷ ଲକ୍ଷ କଇଁଛ ଜନ୍ମ ହୋଇ ସମୁଦ୍ର ଗର୍ଭକୁ ଯିବେ।

Comments are closed.