ଆସନ୍ତା ୨୧ରେ ଚଳିତ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ -ଶିକ୍ଷକ ଏବଂ ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି ବୈଠକ

ଭୁବନେଶ୍ୱର:  ଚଳିତ ଶିକ୍ଷା ବର୍ଷ ୨୦୨୩ – ୨୪ର ପ୍ରଥମ ଅଭିଭାବକ ଶିକ୍ଷକ / ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା | ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ତା ୨୧.୦୪.୨୦୨୩ରିଖ ( ଶୁକ୍ରବାର ଦିନ ) ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସମସ୍ତ ବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ହେବ । ଏହି ବୈଠକରେ ସମସ୍ତ ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା| ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସଭ୍ୟ ଓ ସଭ୍ୟମାନେ ଯୋଗଦାନ କରି ଆଲୋଚିତ ହେବାକୁ ଥିବା ବିଷୟବସ୍ତୁଗୁଡ଼ିକରେ ଅଂଶଗ୍ରହଣ କରିବେ । ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗୋଷ୍ଠୀ ସମ୍ପୃକ୍ତିର ଆବଶ୍ୟକତା ସର୍ବଦା ଏକାନ୍ତ ଅପରିହାର୍ଯ୍ୟ ଅଟେ । ଉକ୍ତ ବୈଠକରେ ବିଦ୍ୟାଳୟର ବୌଦ୍ଧିକ ଓ ସହବୌଦ୍ଧିକ ସମ୍ପର୍କରେ ମୋଟ ୧୩ଗୋଟି ଏଜେଣ୍ଡ ଆଇଟମ ସମ୍ପର୍କରେ ଆଲୋଚନା କରାଯିବ । ଚଳିତ ଶିକ୍ଷା ବର୍ଷରେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବିଦ୍ୟାଳୟକୁ ‘ ଶୈକ୍ଷିକ କ୍ୟାଲେଣ୍ଡର ’ ଯୋଗାଇଦେଇ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷେପ ନେଇଛନ୍ତି , ଯାହାକି , ଓଡ଼ିଶାରେ ଅନନ୍ୟ ଅଟେ ।

ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ , ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନର ପ୍ରାଧାନ୍ୟ , ଶିକ୍ଷା ସଚେତନତା ରଥ ପରିକ୍ରମାର ମହତ୍ତ୍ଵ , ପିଲାମାନଙ୍କର ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ‘ ଗ୍ରୀଷ୍ମ ଅବକାଶରେ ଗୃହକାର୍ଯ୍ୟ ’ , ଅଂଶୁଘାତ ପ୍ରତି ସାବଧାନତା , ଅନ୍‌ଲାଇନ ସୁରକ୍ଷା ସମ୍ବନ୍ଧୀୟ କିଛି ଭ୍ରାନ୍ତଧାରଣା , ସତ୍ୟତା ଏବଂ ଏହାର ସମାଧାନ , ଅଭିଭାବକଙ୍କ ପାଇଁ ସାଇବର ସଚେତନତା , ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ସଚେତନତା କାର୍ଯକ୍ରମ ଓ ‘ ଶିକ୍ଷାରେ ଉତ୍କର୍ଷ ଆଣିଛି ଓଡ଼ିଶା ’ ଇତ୍ୟାଦି ବିଶେଷ ଭାବରେ ଆଲୋଚିତ ହେବ । ଚଳିତ ବର୍ଷ ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରର ପିଲାମାନଙ୍କ ପାଇଁ ‘ ଅବକାଶ ଗୃହକାର୍ଯ୍ୟ ’ ପ୍ରଦାନ ଓ ଏହାକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ସ୍ତରରେ ହେଲ୍ପ ଡେସ୍କ – କମ – କଲ୍ ସେଣ୍ଟରର ପ୍ରଚଳନ ଏକ ଅନନ୍ୟ ଓ ଅଭିନବ ପଦକ୍ଷେପ ଅଟେ । ଉକ୍ତ ବୈଠକରେ ସାମ୍ପ୍ରତିକ ପରିସ୍ଥିତିରେ ଅନ୍‌ଲାଇନ ସୁରକ୍ଷା ସମ୍ବନ୍ଧରେ କିଛି ଭ୍ରାନ୍ତଧାରଣା , ଏହାର ସତ୍ୟତା ଓ ସମାଧାନର ପନ୍ଥା ଓ ଅଭିଭାବକମାନଙ୍କ ପାଇଁ ସାଇବର ସଚେତନତା ନିଶ୍ଚିତ ଭାବରେ ପିଲାମାନଙ୍କ ଶିକ୍ଷଣରେ ସହାୟକ ହେବ ଓ ସେମାନଙ୍କ ପିଲାମାନଙ୍କୁ ଏ ସମ୍ବନ୍ଧୀୟ କିଛି ଉପାଦେୟ ତଥ୍ୟ ଦେଇପାରିବେ । ଏହି ସମ୍ବନ୍ଧୀୟ ତଥ୍ୟ ରାଜ୍ୟ ୟୁନିସେଫ କାର୍ଯ୍ୟାଳୟ ଓ ସାଇବର କ୍ରାଇମ ୟୁନିଟ , ସିଆଇଡି , କ୍ରାଇମ ବ୍ରାଞ୍ଚ , ରାଜ୍ୟ ପୋଲିସ ବିଭାଗର ସହାୟତାରେ ପ୍ରସ୍ତୁତ କରାଯାଇଛି ।

ସର୍ବୋପରି , ଉକ୍ତ ସଭାରେ ‘ ଶିକ୍ଷାରେ ଉତ୍କର୍ଷ ଆଣିଛି ଓଡ଼ିଶା ’ ମାଧ୍ୟମରେ ଆମ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ୧୫ % ସିଟ ସଂରକ୍ଷଣ ଡାକ୍ତରୀ ଓ ବୈଷୟିକ ଶିକ୍ଷାରେ ନାମ ଲେଖାଇବା ପାଇଁଏକ ନୂତନ ପଦକ୍ଷେପ ବୋଲି ଅଭିଭାବକମାନଙ୍କୁ ସଚେତନ କରାଯିବ । ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟ ରୂପାନ୍ତରୀକରଣ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ‘ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ’ ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକ , ଶିକ୍ଷା ଅଧିକାରୀ , ପୁରାତନ ଛାତ୍ର ସଂଗଠନ , ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରିବା ଇତ୍ୟାଦି କାର୍ଯକ୍ରମ ହାତକୁ ନିଆଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି , ମାଗଣା ସାଇକେଲ ଯୋଗାଣ ଓ ସ୍କୁଲ ୟୁନିଫର୍ମ ଯୋଗାଣ ଇତ୍ୟାଦି ବିଷୟରେ ବିଶଦ ଭାବରେ ଆଲୋଚନା ହେବ ।

ସର୍ବଶେଷରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସହ ଯୋଡୁଛି ‘ ମୋ ସ୍କୁଲ ଅଭିଯାନ ’ ଯାହାକି , କେବଳ ଭାରତର ନୁହେଁ ବିଶ୍ବସ୍ତରରେ ପ୍ରଶଂସିତ ହୋଇଆସୁଛି । ସେ ସମ୍ବନ୍ଧରେ ପୁରାତନ ଛାତ୍ରଛାତ୍ରୀଙ୍କର ସହଯୋଗ ଓ ସହାୟତା ବିଦ୍ୟାଳୟର ଉନ୍ନତି ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛି । ଏହି ରାଜ୍ୟବାପୀ ଅଭିଭାବକ ଶିକ୍ଷକ | ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା | ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକରେ ସମସ୍ତେ ଯୋଗଦାନ କରି ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରୟାସ ଜାରି ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Comments are closed.