‘ମୋଦୀ ସାଙ୍ଗିଆ” ମାମଲା: ରାହୁଲଙ୍କ ଆବେଦନ ଉପରେ ଆଜି ଆସିପାରେ ରାୟ

ସୁରଟ: ‘ମୋଦୀ ସାଙ୍ଗିଆ”’ ମନ୍ତବ୍ୟ ପାଇଁ ଅପରାଧିକ ମାନହାନି ମାମଲାରେ ତଳକୋର୍ଟ ରାୟ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଆବେଦନ ଉପରେ ସୁରଟର ସେସନ୍ସ କୋର୍ଟ ଆଜି (ଏପ୍ରିଲ୍ ୨୦) ରାୟ ଶୁଣାଇବେ। ଏହି ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲଦଣ୍ଡ ହୋଇଛି।

ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ତଥା ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ କୋର୍ଟରେ ଦାଖଲ କରିଥିବା ଜବାବରେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ବିରୋଧ କରିଥିଲେ । ସେ କହିଥିଲେ ଯେ କଂଗ୍ରେସ ନେତା ବାରମ୍ବାର ଏପରି ଦୋଷ କରୁଛନ୍ତି ଏବଂ ଅପମାନଜନକ ମନ୍ତବ୍ୟ ଦେବା ତାଙ୍କର ଅଭ୍ୟାସଗତ ପ୍ରବୃତ୍ତି ।

ରାହୁଲ ଏପ୍ରିଲ ୩ରେ ତାଙ୍କ ଜେଲ ଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ । ସୁରଟ ସେସନ୍ସ କୋର୍ଟରେ ତଳକୋର୍ଟ ରାୟକୁ ଏ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ଆବେଦନ କରିଥିଲେ ରାହୁଲ। ଆଇନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ରାହୁଲ ଗାନ୍ଧୀଙ୍କ ସପକ୍ଷରେ କୋର୍ଟ ରାୟ ଦିଅନ୍ତି, ତା’ହେଲେ ସେ ତାଙ୍କ ଲୋକସଭା ସଦସ୍ୟତା ଫେରିପାଇବେ ।

ତାଙ୍କ “ମୋଦୀ ସାଙ୍ଗିଆ” ମନ୍ତବ୍ୟ ପାଇଁ ରୁଜୁ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ସୁରଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଚଳିତ ବର୍ଷ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।‌ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦିନକ ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ‌ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କହିଥିଲେ ‘ସବୁ ମୋଦୀ ସାଙ୍ଗିଆଧାରୀ ଚୋର’ । ସେ ଅର୍ଥନୈତିକ ଅପରାଧୀ ଓ ପଳାତକ ଘୋଷିତ ଲଳିତ ମୋଦୀ ଏବଂ ନିରବ ମୋଦୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୁଳନା କରିଥିଲେ। ରାହୁଲଙ୍କ ଏହି ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଗୁଜରାଟର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ ।

Comments are closed.