ଦିଲ୍ଲୀ ସାକେତ୍ କୋର୍ଟରେ ମହିଳାଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ସାକେତ କୋର୍ଟ ପରିସରରେ ଫୁଟିଛି ଗୁଳି । ଜଣେ ବ୍ୟକ୍ତି ଓକିଲ ବେଶରେ ଆସି ଜଣେ ମହିଳାଙ୍କୁ ଗୁଳିମାଡ଼ କରିଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ସକାଳ ପ୍ରାୟ ୧୦:୩୦ ସମୟରେ କୋର୍ଟ ନମ୍ବର ୩ ବାହାରେ ଏହି ଘଟଣା ଘଟିଥିଲା । ଓକିଲ ବେଶରେ ଆସି ଜଣେ ବ୍ୟକ୍ତି ହଠାତ୍ ଜଣେ ମହିଳାଙ୍କୁ ୪-୫ ରାଉଣ୍ଡ ଗୁଳିମାଡ଼ କରିଥିଲେ । ମହିଳାଙ୍କ ପେଟ ଏବଂ ହାତରେ ଗୁଳି ବାଜିଛି । ଗୁଳିମାଡ଼ରେ ଜଣେ ଓକିଲ ମଧ୍ୟ ଆହତ ହୋଇଥିଲେ ।

ଅଭିଯୁକ୍ତ ଜଣକ କୋର୍ଟ କ୍ୟାଣ୍ଟିନ ପଛପଟ ଫାଟକ ଦେଇ ଖସି ପଳାଇଥିଲା । ବକେୟା ଟଙ୍କାକୁ ନେଇ ମହିଳାଙ୍କ ସହ ଅଭିଯୁକ୍ତର ବିବାଦ ଲାଗି ରହିଥିଲା ବୋଲି କୁହାଯାଇଛି । ଏଥିପାଇଁ ସେ ଉକ୍ତ ମହିଳାଙ୍କ ବିରୋଧରେ ଏକ କେସ୍ ମଧ୍ୟ କରିଥିଲେ। ଗୁଳିମାଡ଼‌ କରିଥିବା ବ୍ୟକ୍ତି ଜଣକ ମଧ୍ୟ ଜଣେ ଓକିଲ। ତେବେ ନିକଟରେ ଦିଲ୍ଲୀ ବାର୍ ଆସୋସିଏସନ୍ ତାଙ୍କ ଲାଇସେନ୍ସ ରଦ୍ଦ କରିଦେଇଥିଲା ।

କୋର୍ଟରେ ଗୁଳିକାଣ୍ଡ ଘଟଣା ପରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କେଜ୍ରିୱାଲ କହିଛନ୍ତି ।

Comments are closed.