ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ଯବାନ ସହିଦ୍ ପରେ ରଜୌରି-ପୁଞ୍ଚ ସେକ୍ଟରରେ ସେନାର ବଡ଼ ଆକ୍ସନ୍, ଆରମ୍ଭ ହେଲା ‘ଅପରେସନ ଡେଷ୍ଟ୍ରଏ’

ପୁଞ୍ଚ: ଜାମ୍ମୁ କାଶ୍ମୀରର ପୁଞ୍ଛରେ ଭାରତୀୟ ସେନା ଗାଡ଼ି ଉପରେ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ ସେନା ତରଫରୁ ଆରମ୍ଭ ହୋଇଛି ବଡ଼ ଅପରେସନ । ଏହି ଘଟଣା ଗୁରୁବାର ରାଜୌରି-ପୁଞ୍ଚ ସେକ୍ଟର ନିକଟରେ ଘଟିଥିଲା । ସେହି ଅଞ୍ଚଳରେ ଦୁଇଟି ଗ୍ରୁପରେ ୬-୭ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସିକୁ ଗୁଇନ୍ଦା ସୂଚନା ମିଳିଛି ।

ସୂତ୍ରରୁ ପ୍ରକାଶ ଯେ ଗୁରୁବାର ସେନା ଗାଡ଼ି ଉପରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀଙ୍କ ଏହି ଗ୍ରୁପ୍ ହିଁ ସମ୍ପୃକ୍ତ ଥିଲା। ଏହି ଆକ୍ରମଣରେ ଭାରତୀୟ ସେନାର ପାଞ୍ଚଜଣ ସୈନିକ ସହିଦ୍ ହୋଇଥିଲେ। ଏହି ଘଟଣାର ଦିନକ ପରେ ଭାରତୀୟ ସେନା ଡ୍ରୋନ୍ ଏବଂ ସର୍ଭିଲାନ୍ସ ହେଲିକପ୍ଟର ଯୋଗେ ଉକ୍ତ ଅଞ୍ଚଳରେ ଅନେକ ଫୋର୍ସ ସହ ସର୍ଚ୍ଚ ଓ ‘ଅପରେସନ ଡେଷ୍ଟ୍ରଏ’ ଆରମ୍ଭ କରିଛି |

ପ୍ରତିରକ୍ଷା ସୂତ୍ରରୁ କୁହାଯାଇଛି ଯେ ଲଶ୍କର ଓ ପାକିସ୍ତାନ ସହ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଲିଙ୍କ୍ ରହିଛି। ପୁଞ୍ଚ ଅଞ୍ଚଳରେ ସେମାନଙ୍କ ‘ଏଣ୍ଟ୍ରି ପଏଣ୍ଟ’ ନେଇ ଅଧିକ ସୂଚନା ସଂଗ୍ରହ କରାଯାଉଛି | ଯେଉଁଠାରେ ସର୍ଚ୍ଚ ଅପରେସନ୍ ଚାଲିଛି, ସେଠାରେ ଅନେକ ଗୁମ୍ଫା ଭଳି ଜାଗା ରହିଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ ସେନା ଗାଡି ଉପରେ ଆକ୍ରମଣ ପରେ ଉଭୟ ପୁଞ୍ଚ ଏବଂ ରାଜୌରି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି ଆକ୍ରମଣ ପରଠାରୁ ଭୀମବର୍ ଗଳି-ପୁଞ୍ଚ ରାସ୍ତାରେ ଟ୍ରାଫିକ ବନ୍ଦ ରହିଛି । ଲୋକଙ୍କୁ ମେଂଢର ଦେଇ ପୁଞ୍ଚ ଯିବାକୁ ପରାମର୍ଶ ଦିଆଯାଇଛି। ଗତକାଲି (ଏପ୍ରିଲ୍ ୨୦) ପୁଞ୍ଚରେ ଭାରତୀୟ ସେନାର ଏକ ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଗାଡ଼ିରେ ନିଆଁ ଲାଗିଯାଇ ପାଞ୍ଚ ଜଣ ଯବାନ ସହିଦ୍ ହୋଇଥିଲେ।

Comments are closed.