ଗୋଧ୍ରା ଟ୍ରେନ୍ ପୋଡ଼ି ମାମଲାର ୮ ଦୋଷୀଙ୍କୁ ଜାମିନ, ଅନ୍ୟ ଚାରିଙ୍କୁ ଛାଡ଼ିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟର ଗୋଧ୍ରାରେ ୨୦୦୨ରେ ସାବରମତୀ ଏକ୍ସପ୍ରେସରେ ନିଆଁ ଲଗାଇବା ଘଟଣାର ୮ ଦୋଷୀଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର (ଏପ୍ରିଲ ୨୧) ଜାମିନ ପ୍ରଦାନ କରିଛନ୍ତି। ଏହି ଘଟଣାର ସମସ୍ତ ଦୋଷୀଙ୍କୁ ତଳକୋର୍ଟ ଏବଂ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୧୭-୧୮ ବର୍ଷ ଜେଲ୍ ଦଣ୍ଡ କାଟିଥିବାରୁ ଏହି ୮ ଦୋଷୀଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ତଳକୋର୍ଟରୁ ମୃତ୍ୟୁଦଣ୍ଡ ପାଇଥିବା ଅନ୍ୟ ୪ ଦୋଷୀଙ୍କୁ ଛାଡ଼ିବାକୁ ସୁପ୍ରିମକୋର୍ଟ ମନା କରିଛଦେନ୍ତି।

ଚଳିତ ବର୍ଷ ଫେବୃଆରୀ ୨୦ରେ ଗୋଧ୍ରା ଟ୍ରେନ ପୋଡ଼ି ଘଟଣାର ଦୋଷୀମାନଙ୍କ ବୟସ ଏବଂ ଜେଲରେ ବିତାଇଥିବା ସମୟ ସହ କୋର୍ଟ ସବିଶେଷ ତଥ୍ୟ ମାଗିଥିଲେ।

ଫେବୃଆରୀ ୨୭, ୨୦୦୨ରେ ଗୋଧ୍ରା ଷ୍ଟେସନରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସର ଏସ୍-୬ କୋଚରେ ନିଆଁ ଲଗାଇ ଦେଇଥିଲେ। ଉକ୍ତ କୋଚରେ ଅଯୋଧ୍ୟାରୁ ଫେରୁଥିବା କର ସେବକ ଓ ସେମାନଙ୍କ ପରିବାର ଲୋକ ଥିଲେ | ଏହି ଘଟଣାରେ ୫୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଭାରତର ବିଭାଜନ ପରେ ଗୋଧ୍ରା ଘଟଣା ଦେଶରେ ସବୁଠାରୁ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗାର ସୂତ୍ରପାତ କରିଥିଲା।

ମାର୍ଚ୍ଚ ୨୦୧୧ରେ ଟ୍ରାଏଲ କୋର୍ଟ ୩୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ଅବଶିଷ୍ଟ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଅନ୍ୟ ୬୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ୨୦୧୭ରେ ଗୁଜରାଟ ହାଇକୋର୍ଟ ୧୧ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ । ଅନ୍ୟ ୨୦ ଦୋଷୀଙ୍କ ଆଜୀବନ କାରାଦଣ୍ଡକୁ କାଏମ ରଖିଥିଲେ। ଦୋଷୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନ ୨୦୧୮ ଠାରୁ ବିଚାରାଧୀନ ଥିଲା।

Comments are closed.