‘ହ୍ୟାସଟାଗ୍’ର ଉଦ୍ଭାବକ କ୍ରିସ୍ ମେସିନା ଛାଡ଼ିଲେ ଟ୍ବିଟର, ଏଲନ୍ ମସ୍କଙ୍କ କାର୍ଯ୍ୟଶୈଳୀରେ ଥିଲେ ଅସନ୍ତୁଷ୍ଟ

ନ୍ୟୁୟର୍କ: ଯଦି ଆମକୁ ଆଜି ଟ୍ୱିଟରରେ କୌଣସି ବିଷୟ ଖୋଜିବାକୁ ହୁଏ, ତେବେ ଆମେ # (ହ୍ୟାସଟାଗ୍) ବ୍ୟବହାର କରୁ | ହ୍ୟାସଟ୍ୟାଗ ମାଧ୍ୟମରେ ଯେକୌଣସି ବିଷୟ ଖୋଜିବା ସହଜ ହୋଇଯାଏ | ଏହି ହ୍ୟାସଟାଗ୍ ବ୍ୟବହାରକୁ ଲୋକପ୍ରିୟ କରିବାରେ ଟ୍ଵିଟର ଅଧିକାରୀ କ୍ରିସ୍ ମେସିନାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ତାଙ୍କ ପରାମର୍ଶ କ୍ରମେ ହିଁ ୨୦୦୭ରେ ପ୍ରଥମ ଥର ଟ୍ୱିଟରରେ ହ୍ୟାସଟ୍ୟାଗ୍ ବ୍ୟବହାର ହୋଇଥିଲା | ଏହା ଏବେ ବେଶ୍ ଲୋକପ୍ରିୟ ହୋଇଛି । ଆଜି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହ୍ୟାସଟାଗ୍ ବ୍ୟବହାର କରାଯାଉଛି |

ଏବେ କ୍ରିସ୍ ମେସିନା ଟ୍ୱିଟରକୁ ଅଲବିଦା କହିଥିବା ଜଣାପଡ଼ିଛି । ନୂଆ ମାଲିକ ଏଲନ୍ ମସ୍କଙ୍କ କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ସେ ଏହି ପ୍ଲାଟଫର୍ମ ଛାଡିଛନ୍ତି | ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କ୍ରିସ୍ ମେସିନା ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଟ୍ୱିଟର ଆଉ ଆଗଭଳି ରହି ନାହିଁ। ଭେରିଫିକେସନ୍ ପଦ୍ଧତିକୁ ମସ୍କ ଯେଉଁଭଳି ହ୍ୟାଣ୍ଡଲ୍ କରୁଛନ୍ତି ସେଥିରେ କ୍ରିସ୍ ମେସିନା ଖୁସି ନଥିଲେ |

ଟ୍ୱିଟରରୁ ଏବେ ମାଗଣା ବ୍ଲୁ ଟିକ୍ ହଟାଇ ଦିଆଯାଇଛି। ବର୍ତ୍ତମାନ ଏହି ପ୍ଲାଟଫର୍ମରେ ବ୍ଲୁ ଟିକ୍ ପାଇବା ପାଇଁ ଦେୟ ଯୁକ୍ତ ସବସ୍କ୍ରିପସନ୍ ନେବା ବାଧ୍ୟତାମୂଳକ |

କ୍ରିସ୍ ମେସିନାଙ୍କ ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ମାଗଣା ବ୍ଲୁ ଟିକ୍ ହଟାଯାଇଥିଲା । ଏଥିରେ ସେ କ୍ଷୁବ୍ଧ ହୋଇଥିଲେ | ତାଙ୍କ ଆକାଉଣ୍ଟ ଏବେ ଟ୍ୱିଟରରେ ଥିଲେ ମଧ୍ୟ ଏହା ପ୍ରାଇଭେଟ୍ ରହିଛି । ସେ ତାଙ୍କ ପ୍ରୋଫାଇଲର ‘ଗୁଡ୍ ବାଏ’ ବୋଲି ଲେଖିଛନ୍ତି।

Comments are closed.