ଯୁଦ୍ଧବେଳେ ସେନାପତି ଶୂନ୍ଯ ବିରୋଧୀ: ଶଙ୍ଖ ଧରିଲେ ଜିଲ୍ଲା ଯୁବ କଂଗ୍ରେସ ସଭାପତି

ଝାରସୁଗୁଡ଼ା: ଯୁଦ୍ଧ ବେଳେ ସେନାପତି ଶୂନ୍ଯ। ଝାରସୁଗୁଡ଼ା ଉପ ନିର୍ବାଚନ ବେଳେ ଏଭଳି ସ୍ଥିତି ଉପୁଜିଲାଣି। ବିରୋଧୀ ବିଜେପି ଓ କଂଗ୍ରେସର ଗୋଟିଏ ପରେ ଗୋଟିଏ ଛାମୁଆ ନେତା ଦଳ ଛାଡି ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି। ଫଳରେ ବୃହତ ବିଜୟ ନେଇ ଶାସକ ଦଳ ଉତ୍ସାହିତ ହୋଇ ଜୋରଦାର ପ୍ରଚାର ଚଲାଇଛି।

କିଛିଦିନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାନସଭା ପ୍ରାର୍ଥୀ ଗୌଣ୍ଡ ଗଣୱାନା ସମାଜର ସର୍ବଭାରତୀୟ ନେତା ମହେନ୍ଦ୍ର ନାଏକ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଥିଲେ। ଏହାର ଚାରିଦିନ ନ ପୁରୁଣୁ ବରିଷ୍ଠ ବିଜେପି ନେତା ଝାରସୁଗୁଡ଼ା ପୌରାଧ୍ୟକ୍ଷ ପ୍ରାର୍ଥୀ ତଥା ଝାରସୁଗୁଡ଼ା ବାର୍ ସଭାପତି ତ୍ରିନାଥ ଗୁଆଲଙ୍କ ଘରବାହୁଡା ବିଜେଡି ଶିବିରକୁ ଉତ୍ସାହିତ କରିଛି। ସ୍ବର୍ଗତ କିଶୋର ମହାନ୍ତିଙ୍କ ଏକାନ୍ତ ଅନୁଗତ ଥିବା ତ୍ରିନାଥ ବର୍ଷେ ହେବ ବିଜେପିରେ ସାମିଲ ହୋଇଥିଲେ। ଜଣେ ଭଲ ସଂଗଠକ ଭାବେ ଜଣାଶୁଣା ତ୍ରିନାଥଙ୍କ ଘରବାହୁଡା ନିହାତି ଭାବେ ଦଳକୁ ଅଧିକ ସଶକ୍ତ କରିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଆଜି ଝାରସୁଗୁଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶୈଳେଶ ତିୱାରୀ ବି ଶଂଖ ଧରିଛନ୍ତି।

ଆଜି ଝାରସୁଗୁଡା ପୌର ପରିଷଦ ପର୍ଯ୍ୟବେକ୍ଷକ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ରିତା ସାହୁ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଝାରସୁଗୁଡା ପର୍ଯ୍ୟବେକ୍ଷକ ବିଧାୟକ ଶାରଦା ନାୟକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ଯୁବ ନେତା ବିଶାଳ ଦାସ, ଜିଲ୍ଲା ଯୁବ ସଭାପତି ପ୍ରଶାନ୍ତ ଜେନା, ସମ୍ବଲପୁର ଜୋନ ଉପ ସଭାପତି ଦେବ ଜ୍ୟୋତି ପଟ୍ଟନାୟକ, ସମ୍ବଲପୁର ଜିଲ୍ଲା ଛାତ୍ର ବିଜେଡ଼ି ଉପ ସଭାପତି ସୁମିତ ପଟେଲ ଙ୍କ ଉପସ୍ଥିତି ରେ ଝାରସୁଗୁଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶୈଳେଶ ତିୱାରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ଅନୁପ୍ରାଣିତ ହୋଇ ତାଙ୍କର ଶତାଧିକ ସମର୍ଥକ ଙ୍କ ସହ ବିଜେଡ଼ିରେ ଯୋଗଦାନ କରିଛନ୍ତି। ଏହା ଆଗାମୀ ଉପ ନିର୍ବାଚନ ରେ ବିଜୁ ଜନତା ଦଳର ବିଜୟ କୁ ଆହୁରି ବିପୁଳ ଓ ସୁନିଶ୍ଚିତ କରିବ ବୋଲି ନେତାମାନେ ପ୍ରକାଶ କରିଛନ୍ତି।

Comments are closed.