ଯୌନ ନିର୍ଯାତନା ଅଭିଯୋଗ ନେଇ ବ୍ରିଜଭୂଷଣଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ, ଆନ୍ଦୋଳନ ଜାରି ରଖିବେ ରେସଲର

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ ପୋଲିସ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରୁଜୁ କରିଛି।

ମହିଳା କୁସ୍ତି ଖେଳାଳିଙ୍କ ଅଭିଯୋଗ କ୍ରମେ କନୌଟ୍ ପ୍ଲେସ୍ ଥାନାରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି।

ଜଣେ ନାବାଳିକା ରେସଲରଙ୍କ ଅଭିଯୋଗ‌ କ୍ରମେ ବ୍ରିଜଭୂଷଣଙ୍କ ବିରୋଧରେ ‘ପକ୍ସୋ’ ଆଇନ ଅନୁଯାୟୀ ଗୋଟିଏ ମାମଲା ଏବଂ ଆଉ ଏକ ଏଫ୍ଆଇଆର୍ ଜଣେ ମହିଳା ରେସଲରଙ୍କ ଅଭିଯୋଗ ଅନୁଯାୟୀ ରୁଜୁ ହୋଇଛି।

ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆଧାରରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମାମଲା ରୁଜୁ କରାଯିବ ବୋଲି ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କୁ କହିଥିଲା।

ଅନ୍ୟପକ୍ଷରେ ବ୍ରିଜଭୂଷଣ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତରେ ସେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ।

ସେ କହିଥିଲେ, “ନ୍ୟାୟପାଳିକାର ନିଷ୍ପତ୍ତିରେ ମୁଁ ଖୁସି । ଦିଲ୍ଲୀ ପୋଲିସ ଏହାର ତଦନ୍ତ କରିବ। କାରଣ ଏହି ଦେଶର ନ୍ୟାୟପାଳିକାଠାରୁ କେହି ବଡ଼ ନୁହଁନ୍ତି । ତଦନ୍ତରେ ମୁଁ ସହଯୋଗ କରିବାକୁ ପ୍ରସ୍ତୁତ |

ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ରେସଲରମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ସେମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଆମେ ସମ୍ମାନ କରୁଛୁ । କିନ୍ତୁ ଦିଲ୍ଲୀ ପୋଲିସ ଉପରେ ଆମର ଭରସା ନାହିଁ । ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ କୋହଳ ଦଫା ଲଗାଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିପାରେ । ବ୍ରିଜଭୂଷଣଙ୍କୁ ଗିରଫ କରାଯାଉ । ତାଙ୍କୁ ସାଂସଦ ଓ ସମସ୍ତ ସାମ୍ବିଧାନିକ ପଦରୁ ହଟାଯାଉ ବୋଲି ରେସଲରମାନେ ଦାବି କରିଛନ୍ତି ।

Comments are closed.