ରେସଲରଙ୍କୁ ସମର୍ଥନ ଜଣାଇ ଜନ୍ତର ମନ୍ତର ପହଞ୍ଚିଲେ ପ୍ରିୟଙ୍କା, ଏଫ୍ଆଇଆର୍ କପି ଦେବାକୁ ଦାବି କଲେ

ନୂଆଦିଲ୍ଲୀ: ଗତ ୭ ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରଠାରେ ଧାରଣାରେ ବସିଥିବା କୁସ୍ତି ଖେଳାଳିଙ୍କୁ ସମର୍ଥନ ଜଣାଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ସେ ଆଜି ସକାଳେ ଜନ୍ତର ମନ୍ତରରେ ପହଞ୍ଚି ରେସଲରଙ୍କୁ ଭେଟିଥିଲେ । କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି ରେସଲର ।

ପ୍ରିୟଙ୍କା ଗାନ୍ଧୀ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣଙ୍କୁ ହଟାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି, ବ୍ରିଜଭୂଷଣ ତାଙ୍କ ପଦରେ ରହିଲେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ।

ପ୍ରିୟଙ୍କା କହିଛନ୍ତି, “ଯେତେବେଳେ ଦେଶର ଝିଅମାନେ ପଦକ ଜିତି ଫେରନ୍ତି, ଆମେ ସମସ୍ତେ ଗର୍ବ ଅନୁଭବ କରୁ । କିନ୍ତୁ ଆଜି ଯେତେବେଳେ ସେହି ଝିଅମାନେ ନ୍ୟାୟ ପାଇଁ ରାସ୍ତାରେ ବସିଛନ୍ତି, କେହି ସେମାନଙ୍କୁ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। ତେଣୁ ଅଭିଯୁକ୍ତଙ୍କୁ ପଦରୁ ହଟାଇବା ଆବଶ୍ୟକ; ଯାହା ଦ୍ଵାରା ସେ ତାଙ୍କ ପଦର ଅପବ୍ୟବହାର କରି ଖେଳାଳିଙ୍କ ଉପରେ ଚାପ ପକାଇ ପାରିବେ ନାହିଁ।

ତାଙ୍କ କହିବାନୁସାରେ, ଏହି ରେସଲର ମାନଙ୍କୁ ଏଫଆଇଆର କପି ମଧ୍ୟ ଦିଆଯାଇ ନାହିଁ, ତେଣୁ ବ୍ରିଜ ଭୂଷଣ ଶରଣ ସିଂଙ୍କ ଉପରେ କେଉଁ ଦଫା ଲାଗୁ କରାଯାଇଛି ତାହା ଜଣା ପଡିନାହିଁ। ପୋଲିସ ରେସଲର ମାନଙ୍କୁ ଏଫଆଇଆର କପି ଦେବା ଉଚିତ।

ସରକାର କାହିଁକି ବ୍ରଜ ଭୂଷଣ ଶରଣ ସିଂଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ କରିଛନ୍ତି ।

ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ତାଙ୍କର କୌଣସି ଭରସା ନାହିଁ। ସରକାରୀ ତଦନ୍ତ କମିଟି କେମିତି କାମ କରେ ତାହା ସମସ୍ତେ ଜାଣନ୍ତି। ଏହି ମାମଲାର ରାଜନୀତିକରଣ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ପ୍ରିୟଙ୍କା ।

Comments are closed.