ଆରଆଇ ଅଫିସର ପିଅନଙ୍କୁ ନୃଶଂସ ଭାବେ ହାଣିଥିଲେ ମା’ ଓ ତିନି ପୁଅ, ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ କୋର୍ଟ

ଧର୍ମଗଡ଼ – ୨୦୧୮ ମସିହାରେ ବହୁଚର୍ଚ୍ଚିତ ପିଅନ ଛାୟାକାନ୍ତ ଦଣ୍ଡସେନା ହତ୍ୟା ମାମଲାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ମା’ ସହ ୩ ପୁଅଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ।

୨୦୧୮ ମସିହା ଜୁନ ୧୪ ତାରିଖରେ ଜୁନାଗଡ଼ ବ୍ଳକ ଆଟିଗାଁ ଆରଆଇ ଅଫିସ ନିକଟରେ ଥିବା ସରକାରୀ ଜମି ବେଆଇନ ଭାବେ ଦଖଲ କରି ସକାଳେ ସେହି ଗ୍ରାମର ରାଧୁ ଦଣ୍ଡସେନା,ପିତ ଦଣ୍ଡସେନା, ଯଦୁ ଦଣ୍ଡସେନା ଏବଂ ସେମାନଙ୍କ ମା’ କୁଚିତା ଦଣ୍ଡସେନା ଘର କରିବାକୁ ନିଅଁ ଖୋଳୁଥିଲେ। ତେବେ,ତାହା ସରକାରୀ ଜମି ହୋଇଥିବାରୁ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଠିକା ପିଅନ ଭାବେ କାମ କରୁଥିବା ଛାୟାକାନ୍ତ ସେମାନଙ୍କୁ କାମ ବନ୍ଦ କରିବାକୁ କହିବା ସହ ରାଜସ୍ବ ନିରୀକ୍ଷକଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ରାଧୁ ଦଣ୍ଡସେନାଙ୍କ ହାତକୁ ତାଙ୍କ ମା’ କୁଚିତା ଦଣ୍ଡସେନା ଟାଙ୍ଗିଆ ବଢେଇ ଦେଇଥିଲେ। ଛାୟାକାନ୍ତକୁ ଅଭିଯୁକ୍ତ ରାଧୁ ଟାଙ୍ଗିଆରେ ହାଣିବା ସମୟରେ ତା’ର ଦୁଇ ଭାଇ ପିତ ଓ ଯଦୁ ଛାୟାକାନ୍ତର ଦୁଇ ହାତକୁ ଧରି ରଖିଥିଲେ। ମୁମୁର୍ଷୁ ଅବସ୍ଥାରେ ଛାୟାକାନ୍ତକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୁନାଗଡ଼ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା। ଆଜି ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର କୁଚିତା ଦଣ୍ଡସେନା ଓ ତାଙ୍କ ତିନି ପୁଅ ରାଧୁ, ପିତ ଏବଂ ରାଜୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଦୋଷୀଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ।

Comments are closed.