ରାଜ୍ୟର ୫୨ ଜଙ୍ଗଲ ଗାଁ ହେଲା ରାଜସ୍ବ ଗ୍ରାମ, ଦେଶରେ ଗଞ୍ଜାମ ସୃଷ୍ଟି କଲା ଉଦାହରଣ

ବ୍ରହ୍ମପୁର: ଜଙ୍ଗଲ ଜମି କିସମ ପରିବର୍ତ୍ତନ କରି ସେଠାରେ ରହୁଥିବା ଆଦିବାସୀମାନଙ୍କୁ ଯାବତୀୟ ସରକାରୀ ସୁବିଧା ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଉକ୍ତ ବସତି ବା ପଡ଼ାକୁ ରାଜସ୍ବ ଗ୍ରାମ ମାନ୍ୟତା ଦେଇ ଆସୁଛନ୍ତି ସରକାର। ଏ ଦିଗରେ ଗଞ୍ଜାମ ଜିଲ୍ଲା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି। ଏହି ଜିଲ୍ଲାର ଏକକାଳୀନ ୩୮ଟି ଜଙ୍ଗଲ ଗାଁ ଏବେ ରାଜସ୍ବ ଗ୍ରାମର ମାନ୍ୟତା ପାଇଛି। ଓଡ଼ିଶାର ଏଭଳି ମୋଟ ୫୨ଟି ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ସମସ୍ତ ଅଣସର୍ଭେ ଗାଁକୁ ଅନୁସନ୍ଧାନର ପରିସରଭୁକ୍ତ କରି ପୁଣି ସେଗୁଡ଼ିକୁ ରାଜସ୍ବ ମାନ୍ୟତା ପ୍ରଦାନ ଦିଗରେ ଗଞ୍ଜାମ ଜିଲ୍ଲା ଦେଶରେ ଅଗ୍ରଣୀ ରହିଛି।

ପୂର୍ବରୁ ରାଜ୍ୟର ୧୪ଗୋଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିଲା। ଏବେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାର ୩ ଗୋଟି ବନଖଣ୍ଡର ବନ ବିଭାଗ ଅଧିକାରୀ ଓ ଅନ୍ୟ ଆନୁସଙ୍ଗିକ ବିଭାଗ ଅଧିକାରୀଙ୍କ ସହଯୋଗ ବଳରେ ଏହି ଏକକାଳୀନ ସଫଳତା ହାସଲ ହୋଇ ପାରିଛି। ସେଥିରେ ରହିଛି କୋଦଳା ତହସିଲର ୫ ଗୋଟି, ଧରାକୋଟ ତହସିଲର ୭ ଗୋଟି, ପୋଲସରା ଓ ସୋରଡ଼ା ତହସିଲର ୧୩ ଗୋଟି ଲେଖାଏଁ ଗ୍ରାମ ରହିଛି। ଏବେ ଏଠାକାର ବାସିନ୍ଦା ଜମିବାଡ଼ି ସମ୍ପତ୍ତି ଅଧିକାର, ଜାତିଗତ- ଆୟ- ଗୃହ ପ୍ରମାଣପତ୍ର ପାଇପାରିବେ। ଜମିବାଡ଼ି କିଣାବିକା ମଧ୍ୟ କରିହେବ। ଏହି ଗ୍ରାମଗୁଡିକରେ ସରକାରୀ ଅଫିସ୍ ଖୋଲି ଲୋକଙ୍କୁ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ସମ୍ଭବପର ହେବ। ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ପରିଚାଳନା ଅଧିକାର ପାଇପାରିବେ। ପୂର୍ବରୁ ନା ଭୋଟ ଅଧିକାର ଥିଲା ନା କୌଣସି ପରିଚୟ ଅଥବା ସରକାରୀ ଯୋଜନା ପ୍ରତି ଏମାନେ ପହଞ୍ଚି ପାରୁଥିଲେ। ଏବେ ଦୃଶ୍ୟପଟ୍ଟ ବଦଳିଯିବ ଓ ଅନ୍ୟ ଗ୍ରାମ ପରି ଏଠାକାର ଲୋକେ ସ୍ୱଚ୍ଛନ୍ଦରେ ଜୀଇଁ ପାରିବେ।

ଏସବୁ ଗାଁରେ ରହୁଥିବା ୧୩୨୮ ପରିବାରର ୫୯୬୫ ଜଣ ନିଜ ଗ୍ରାମ ଆଧାରରେ ନୂଆ ଠିକଣା ପାଇପାରିବେ। ୨୦୧୭ ମସିହା ବେଳକୁ ଗଞ୍ଜାମ ଜିଲ୍ଲାରେ ଥିଲା ୫୩ଗୋଟି ଅଣସର୍ଭେ ଜଙ୍ଗଲ ଗାଁ। ଦୁଇ ବର୍ଷ ତଳେ ତହସିଲ କାର୍ଯ୍ୟାଳୟ ସ୍ତରରେ ତଦନ୍ତ କରାଯାଇ ଥିଲା। ସେତେବେଳକୁ ୧୩ଗୋଟି ଗାଁ ରାଜସ୍ବ ଗ୍ରାମର ମାନ୍ୟତା ପାଇସାରିଥିଲା। ବଳକା ଗାଁରୁ ୩୮ଗୋଟି ଏବେ ଆବଶ୍ୟକ ଲୋକ ସଂଖ୍ୟା ଆଧାରରେ ରାଜସ୍ବ ଗ୍ରାମର ମାନ୍ୟତା ପାଇଛି।

Comments are closed.