କଂଗ୍ରେସ ମୋତେ ୯୧ ଥର ଗାଳି ଦେଇଛି: ମୋଦୀ

ବେଙ୍ଗାଲୁରୁ: ଆସନ୍ତା ମେ ୧୦ ତାରିଖରେ କର୍ଣ୍ଣାଟକରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ରାଜ୍ୟରେ ରାଜନୈତିକ ପାରା ଚରମରେ ପହଞ୍ଚିଥିବା ବେଳେ ସବୁ ଦଳ ଓ ନେତା ମାରାଥନ୍ ପ୍ରଚାରରେ ମାତିଛନ୍ତି। ଦଳ ଓ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସହ ବ୍ୟକ୍ତିଗତ ଆକ୍ଷେପ ନିର୍ବାଚନୀ ମାହୋଲକୁ ତିକ୍ତ କରିଦେଇଛି ।

ନିର୍ବାଚନର ଠିକ୍ ୧୧ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଶନିବାର ବିଦରରେ ପହଞ୍ଚିଛନ୍ତି। ଏଠାରେ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ତାଙ୍କୁ ୯୧ ଥର ଗାଳି ଦେଇଛି। ଗାଳିର ଅଭିଧାନରେ ସମୟ ନଷ୍ଟ କରିବା ପରିବର୍ତ୍ତେ ଯଦି କଂଗ୍ରେସ ସୁଶାସନ ପାଇଁ ପରିଶ୍ରମ କରିଥାନ୍ତା, ତା’ହେଲେ ସେମାନେ ଏପରି ଦୟନୀୟ ସ୍ଥିତିରେ ନଥାନ୍ତେ।

କିଛି ଦିନ ତଳେ ଏକ ନିର୍ବାଚନୀ ରାଲିରେ ତାଙ୍କ ପ୍ରତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୋଦୀ ଏଭଳି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, “କଂଗ୍ରେସ ପୁଣି ମୋତେ ଗାଳି କରିବା ଆରମ୍ଭ କରିଛି। ମୁଁ ଦେଖିଲି ଯେ କେହି ମୋତେ ସେହି ଗାଳିର ଏକ ତାଲିକା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଓ ଏହାର ନେତାମାନେ ମୋତେ ୯୧ ଥର ବିଭିନ୍ନ ପ୍ରକାର ଗାଳି ଦେଇଛନ୍ତି।”

ଗାଳିର ଅଭିଧାନରେ ସମୟ ନଷ୍ଟ କରିବା ବଦଳରେ କଂଗ୍ରେସ ଯଦି ସୁଶାସନ, ଦଳୀୟ କର୍ମୀଙ୍କ ଉତ୍ସାହ ବଢାଇବା ପାଇଁ ପରିଶ୍ରମ କରିଥାନ୍ତା, ତେବେ ଆଜି କଂଗ୍ରେସର ଅବସ୍ଥା ଏପରି ହୋଇନଥାନ୍ତା।

ମୋଦୀ କହିଛନ୍ତି, “ଦେଶ ଓ ଗରିବଙ୍କ ପାଇଁ କାମ କରୁଥିବା ଲୋକଙ୍କୁ ଅପମାନିତ କରିବା କଂଗ୍ରେସର ଇତିହାସ ରହିଛି।”

“ଆପଣ ଜାଣନ୍ତି, ଗତ ନିର୍ବାଚନରେ ‘ଚୌକିଦାର ଚୋର ହୈ’ ଚାଲିଥିଲା, ତାପରେ ‘ମୋଦୀ ଚୋର’ ଏବଂ ସମଗ୍ର ଓବିସି ସମାଜକୁ ଚୋର ବୋଲି କହିଥିଲେ । ଏବେ ତ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ଆଉ ସେମାନେ ମୋ ଲିଙ୍ଗାୟତ ଭାଇ ଓ ଭଉଣୀଙ୍କୁ ଚୋର କହିବା ସା‌ହସ କଲେଣି‌ ।

ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଚେତାବନୀ ଦେଇ କହିଥିଲେ, ଯେବେବି ତୁମେ କାହାକୁ ଗାଳି ଦେଇଛ, ସେମାନେ ତୁମକୁ ଏପରି ଦଣ୍ଡ ଦେଇଛନ୍ତି ଯେ ତୁମେ ଆଉ ଆଉ ଠିଆ ହେବାକୁ ସକ୍ଷମ ହୋଇନାହଁ।”

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୭ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କାଲାବୁର୍ଗିରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ ବୋଲି କହିଥିଲେ। ଖଡ଼ଗେ କହିଥିଲେ ଆପଣଙ୍କୁ ଯଦି ଏହି ସାପ ମାରିବ ଆପଣଙ୍କ ମୃତ୍ୟୁ ହୋଇଯିବ |

ପ୍ରଧାନମନ୍ତ୍ରୀଙ୍କ ଉପରେ ଏପରି ମନ୍ତବ୍ୟ ନେଇ ବିଜେପି କଂଗ୍ରେସକୁ ଭର୍ତ୍ସନା କରିଥିଲା । ବିବାଦ ବଢ଼ିବା ପରେ ଖଡ଼ଗେ କ୍ଷମା ମାଗିଥିଲେ ।

Comments are closed.