ରାମରାଜ୍ୟ ପରମ୍ପରା ଓ ଐତିହ୍ୟକୁ ପ୍ରଦର୍ଶିତ କରୁଛି ବ୍ରହ୍ମପୁର ଠାକୁରାଣୀ ଯାତ୍ରାର କଳାକୁଞ୍ଜ

ବ୍ରହ୍ମପୁର: ମା’ ବୁଢ଼ି ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାରେ ରଥ ଓ କଳାକୁଞ୍ଜ ପରମ୍ପରା ବେଶ୍ ପ୍ରାଚୀନ। ଏସବୁ ଯାତ୍ରାର ଗୋଟିଏ ଗୋଟିଏ ଆକର୍ଷଣ ସାଜିଥାଏ। ନିର୍ଦ୍ଦିଷ୍ଟ ସାହିରେ ପୂର୍ବ ନିର୍ଦ୍ଧାରିତ ରଥ ସାଙ୍ଗକୁ ବିଭିନ୍ନ ସାହିରେ ପୌରାଣିକ, ପ୍ରାଚୀନ ସାଙ୍ଗକୁ ଆଧୁନିକ ତଥା ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ କରାଯାଇ ଥାଏ ଭିନ୍ନ ଭିନ୍ନ କଳାକୁଞ୍ଜ। ତେବେ ସବୁ କଳାକୁଞ୍ଜ ମଧ୍ୟରେ ନିଆରା ହେଉଛି ବଡ଼ ବଜାର ନିକଟ ନଡ଼ିଆ ବଜାର (ନଡ଼ିଆ ଗୁର୍ଜି)ରେ ଆୟୋଜିତ ହୋଇ ଆସୁଥିବା ରାମରାଜ୍ୟ କଳାକୁଞ୍ଜ। ଚଳିତ ଥର ଯାତ୍ରାରେ ପ୍ରଦର୍ଶିତ ଏହି କଳାକୁଞ୍ଜ ଆରମ୍ଭର ୪୯ ବର୍ଷ ପୂରଣ କରିଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ୧୯୭୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଯାତ୍ରା ସରିବାକୁ ୧୦ ଦିନ ପୂର୍ବରୁ ଏହି କଳାକୁଞ୍ଜ ବାହାରିଥାଏ। ଏଠି ରାମାୟଣର କଥାକୁ ଅତି ସୁନ୍ଦର ଓ ରଙ୍ଗୀନ ଚିତ୍ର ମାଧ୍ୟମରେ ଉପସ୍ଥାପିତ କରାଯାଇଥାଏ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଠାରୁ ଲବ କୁଶ ଯୁଦ୍ଧ ପର୍ଯ୍ୟନ୍ତ ଏବଂ ସୀତା ପାତାଳି ହେବା ଦୃଶ୍ୟ ପଟ୍ଟଚିତ୍ର ମାଧ୍ଯମରେ ପ୍ରଦର୍ଶିତ ହୋଇଥାଏ। ପୂର୍ବରୁ କାଠ ପଟାରେ ଏହି ପଚ୍ଚଚିତ୍ରକୁ ଆଙ୍କି ପ୍ରଦର୍ଶନ କରାଯାଉଥିଲା। ତେବେ ସେଥିରୁ କିଛିଟା ନଷ୍ଟ ହୋଇଯିବା ପରେ ପ୍ଲାଏବୋର୍ଡରେ ପାରମ୍ପରିକ ଭାବେ ଚିତ୍ରଶିଳ୍ପୀଙ୍କ ଦ୍ଵାରା ଅଙ୍କନ କରାଯାଇ ପ୍ରଦର୍ଶିତ କରାଯାଇ ଆସୁଛି। ରାମରାଜ୍ୟ କଥା ସହିତ ବହୁ ଦେବାଦେବୀଙ୍କ ପଟ୍ଟଚିତ୍ର ମଧ୍ଯ ସ୍ଥାନ ପାଇଥାଏ। ଏହି କଳାକୁଞ୍ଜରେ ମୋଟ ୧୨୩ ଖଣ୍ଡ ପଟ୍ଟଚିତ୍ର ପ୍ରଦର୍ଶିତ ହୋଇଥାଏ। ଗୋଟିଏ ଗୋଟିଏ ପଚ୍ଚଚିତ୍ରର ଉଚ୍ଚତା ୩ ଫୁଟ, ଓସାର ୫ ଫୁଟ। ମା’ ଠାକୁରାଣୀଙ୍କ ସ୍ଥାୟୀ ପୀଠ ଭଳି ମନ୍ଦିର ମଧ୍ଯ କଳାକୁଞ୍ଜ ଭାବେ ପ୍ରଦର୍ଶନ କରାଯାଉଛି। ଦଶ ଦିନ କାଳ କଳାକୁଞ୍ଜ ପ୍ରସ୍ତୁତି ଓ ପ୍ରଦର୍ଶନୀ ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।

ନଡ଼ିଆ ଗୁର୍ଜିର ସମସ୍ତ ବ୍ୟବସାୟୀ ନିଜ ଖର୍ଚ୍ଚରେ ମିଳିତ ସହଯୋଗରେ ଏହି କଳାକୁଞ୍ଜ ପ୍ରଦର୍ଶନର ଆୟୋଜନ କରିଥାନ୍ତି। ପ୍ରତିବର୍ଷ ଯାତ୍ରାରେ ଏହା ଅନ୍ୟତମ ଆକର୍ଷଣୀୟ ପାଲଟିଥାଏ। ପିଲାଙ୍କ ପାଇଁ ଶିକ୍ଷଣୀୟ, ନୂଆ ଆଗନ୍ତୁକମାନଙ୍କ ପାଇଁ ଦର୍ଶନୀୟ ସାଜିଥାଏ ଏହି କଳାକୁଞ୍ଜ। ଏହା ଜରିଆରେ ଆମ ପୁରାଣ ଓ ପରମ୍ପରାକୁ ଦୃଶ୍ୟ ଚିତ୍ର ଆକାରରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଥାଏ। ସେ ସମୟରେ କିଛି ବ୍ୟବସାୟୀ ଏହାକୁ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ନଡ଼ିଆ ବଜାର ବ୍ୟବସାୟୀ ସଂଘର ସମ୍ପାଦକ ନରସିଂହ ବେହେରାଙ୍କ ସମେତ ଆଉ କିଛି ବେପାରୀ ଆୟୋଜିତ କରି ଆସୁଛନ୍ତି।

Comments are closed.