ଚିନି ରପ୍ତାନୀ ଉପରେ ରୋକ୍ ଲଗାଇବେ ସରକାର, ଜାଣନ୍ତୁ ୨୦୨୪ ନିର୍ବାଚନ ସହିତ କ’ଣ ରହିଛି ସମ୍ପର୍କ ?

ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ଵର ଅନ୍ୟତମ ପ୍ରମୁଖ ଚିନି ଉତ୍ପାଦନକାରୀ ଓ ରପ୍ତାନିକାରୀ ଦେଶ । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଥିବାବେଳେ ଉତ୍ପାଦନ ହ୍ରାସ ଯୋଗୁଁ ଦରବୃଦ୍ଧି ଆଶଙ୍କାରେ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କଟକଣା ଲଗାଇବାକୁ ଯାଉଛନ୍ତି । ଚିନି ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏହାର ରପ୍ତାନି ଉପରେ ରୋକ୍ ଲଗାଇବେ ବୋଲି ଜଣାପଡ଼ିଛି ।

ସୂଚନାନୁସାରେ, ମିଲର ମାନଙ୍କ ଦ୍ୱାରା ରପ୍ତାନି ପାଇଁ ପ୍ରସ୍ତୁତ ଚିନି ସିପମେଣ୍ଟକୁ ମଧ୍ୟ ତୁରନ୍ତ ବାତିଲ କରିବାକୁ ଏକ ମନ୍ତ୍ରୀ ପ୍ୟାନେଲ ସୁପାରିସ କରିଛି। ଏହି ପ୍ୟାନେଲରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଅଛନ୍ତି। ଏପ୍ରିଲ ୨୭ରେ ଏକ ବୈଠକରେ ଏ ବିଷୟରେ ଆଲୋଚନା କରାଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ ଚିନି ରପ୍ତାନି ବନ୍ଦ କରିବାକୁ ଖୁବ୍ ଶୀଘ୍ର ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯିବ। ୨୦୨୨-୨୩ ଫସଲ ବର୍ଷ (ଅକ୍ଟୋବର-ସେପ୍ଟେମ୍ବର)ରେ ଭାରତର ଚିନି ଉତ୍ପାଦନ ପ୍ରାୟ ୩୨୭ ଲକ୍ଷ ଟନ୍ ରହିବ ବୋଲି ଆକଳନ କରାଯାଇଛି ଯାହା ଗତ ବର୍ଷ (୩୫୯ ଲକ୍ଷ ଟନ୍) ଠାରୁ କମ୍ । ପୂର୍ବରୁ ଚିନି ରପ୍ତାନି ଉପରେ କଟକଣା ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା । କିନ୍ତୁ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏହାକୁ ଆଉ ଏକ ବର୍ଷ ଅର୍ଥାତ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବଢ଼ାଇବା ନିଶ୍ଚିତ |

ବର୍ତ୍ତମାନ ୨୭୫ ଲକ୍ଷ ଟନର ଆନୁମାନିକ ଘରୋଇ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ଅଛି ବୋଲି କୁହାଯାଇଛି | କିନ୍ତୁ ଚଳିତ ବର୍ଷ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ମାର୍ଚ୍ଚ-ଏପ୍ରିଲ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ସରକାର କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି । ବିଶେଷଜ୍ଞମାନେ କହିଛନ୍ତି, ଯଦି ବିଦେଶକୁ ଚିନି ପଠାଇବା ଜାରି ରୁହେ ତେବେ ଆମ ଦେଶରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ଯେବ, ଯେଉଁ କାରଣରୁ ଚିନି ମହଙ୍ଗା ମଧ୍ୟ ହୋଇପାରେ ।

ଖାଉଟି ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଦେଶରେ କିଲୋଗ୍ରାମ ପିଛା ଚିନିର ହାରାହାରି ଖୁଚୁରା ମୂଲ୍ୟ ଶନିବାର ସୁଦ୍ଧା ୪୨.୨୪ ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ଏହି ସମୟରେ ୪୧.୩୧ ଟଙ୍କା ଥିଲା।

Comments are closed.