ଫେରାର୍‌ ଅଭିଯୁକ୍ତଙ୍କୁ ପୋଲିସର ଛାଟ, ସମ୍ପତ୍ତି ଜବତ

ଛତ୍ରପୁର: ଫେରାର୍‌ ଅଭିଯୁକ୍ତଙ୍କୁ କାବୁ କରିବାକୁ କଠୋର ହୋଇଛି ଗଞ୍ଜାମ ପୋଲିସ। ଏଭଳି ପଳାତକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ସେମାନଙ୍କ ସମ୍ପତ୍ତି ଜବତ କରାଯାଇଛି। ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର ଭଳି ସଙ୍ଗୀନ କେସ୍‌ରେ ସମ୍ପୃକ୍ତି ଅଭିଯୋଗ ଥାଇ ଚମ୍ପଟ ମାରିଥିବା ୬ ଜଣ ଅଭିଯୁକ୍ତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପୋଲିସ। ଗତ ମାସକ ମଧ୍ୟରେ କୋର୍ଟ ଆଦେଶ ପ୍ରକାରେ ଏଭଳି କାର୍ଯ୍ୟାନୁଷ୍ଣନ ଗ୍ରହଣ କରାଯାଇଥିବା ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଦିଆଯାଇଥିବା ଏକ ପ୍ରେସ୍‌ ବିବୃତ୍ତିରେ ଏସ୍‌ପି ଜଗମୋହନ ମୀନାଙ୍କ ତରଫରୁ ସୂଚନା ଦିଆଯାଇଛି।

ପାଟପୁର ଥାନାର ହତ୍ୟା ମାମଲା (୧୧୫/ ୨୦୨୦)ରେ ଫେରାର ଥିବା ନିରଞ୍ଜନ ମଣ୍ତଳ, ପୁରୁଷୋତ୍ତମପୁର ଥାନାର ହତ୍ୟା ମାମଲା (୨୯୪/୨୦୨୨)ରେ ଫେରାର ଯୋଗେଶ ବେହେରା, କୋଦଳା ଥାନାର ହତ୍ୟା ଉଦ୍ୟମ ମାମଲା (୧୪୬/୨୦୧୭)ରେ ଫେରାର ବିଶିକେଶ ଦାସ ଓ କାବୁଲି ଦାସ, ଭଞ୍ଜନଗର ଥାନାର ଏକ ହତ୍ୟା ଉଦ୍ୟମ ମାମଲା (୫୭/ ୨୦୦୪) ରେ ଫେରାର ମାଗତା ସାହୁ, ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକ ବଳାତ୍କାର ମାମଲା (୪୧/ ୨୦୧୭)ରେ ଫେରାର ରାଜେଶ ନାୟକଙ୍କ ସମ୍ପତ୍ତି ଜବତ କରାଯାଇଛି। ଉପରୋକ୍ତ ଅଭିଯୁକ୍ତମାନେ ପଳାତକ ଥିବାରୁ ପୋଲିସ ସିଆର୍‌ପିସି ୮୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଥଲା। କୋର୍ଟ ଅଭିଯୁକ୍ତଙ୍କୁ ପଳାତକ ଘୋଷଣା କରିଥିଲେ ଏବଂ ପୋଲିସ ପକ୍ଷରୁ ମାଇକ୍‌ ପ୍ରଚାର କରାଯାଇ ଆତ୍ମସମର୍ପଣ ନକଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଥିଲା। ସମ୍ପତ୍ତି ଜବତ ପରେ କାବୁଲି ଦାସ ଓ ନିରଞ୍ଜନ ମଣ୍ଡଳ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

କୋର୍ଟ ଆଦେଶ ପ୍ରକାରେ ଗତ ମାସ ୧୦ ତାରିଖରେ ସମ୍ପତ୍ତି ଜବତ ପରେ ଗତ ୧୮ ତାରିଖରେ ନିରଞ୍ଜନ ଆତ୍ମସମର୍ପଣ କରିଛି। ଏପ୍ରିଲ୍‌ ୧୨ରେ ସମ୍ପତ୍ତି ଜବତ ଠିକ୍‌ ପରଦିନ ଅର୍ଥାତ୍‌ ୧୩ ତାରିଖରେ କାବୁଲି ସମର୍ପଣ କରିଛି। ମାଗତା ଭଳି ଅଭିଯୁକ୍ତ ପ୍ରାୟ ୧୯ ବର୍ଷ ହେଲା ପୋଲିସ ଆଖିରେ ଧୂଳି ଦେଇ ଲୁଚି ରହିଥିବା ବେଳେ ଅନ୍ୟମାନେ କିଏ ବର୍ଷେ ତ କିଏ ୩ ବର୍ଷ ଅଥବା କିଏ ୬ ବର୍ଷ ହେଲା ଗୁପ୍ତ ସ୍ଥାନରେ ଛପି ଆସୁଛନ୍ତି। ପୋଲିସ କୋର୍ଟ ଠାରୁ ଅନୁମତି ଆଣି ପ୍ରଥମେ ଅଭିଯୁକ୍ତଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଗାଁରେ ତଥା ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଲଟକା ଜାରି କରିଥିଲା। ସେମାନଙ୍କୁ ପଳାତକ ଘୋଷଣା କରିବା ସହ କୋର୍ଟ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଜାରି କରିଥୁଲେ ବିଚାରପତି। ତଥାପି ସେମାନେ ଏହାକୁ ନ ମାନିବାରୁ ତଥା କୋର୍ଟରେ ହାଜର ନ ହେବାରୁ ସମ୍ପତ୍ତି ସିଲ୍‌ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହାଦ୍ଵାରା ଫେରାର୍‌ ଅଭିଯୁକ୍ତ ତ ପୋଲିସକୁ ଭୟ କରି ଆତ୍ମସମର୍ପଣ କରିବେ, ଏଥିସହ ଅନ୍ୟ ଅପରାଧିକ ତତ୍ତ୍ଵଙ୍କ ମନରେ ମଧ୍ୟ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ଭୟ ଜାଗ୍ରତ ହେବାର ଆଶା କରାଯାଏ। ସାକ୍ଷୀମାନେ ଉପସ୍ଥିତ ରହି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥାଏ। ଏହି ସମୟରେ ପୋଲିସ ବାହିନୀ, ବରିଷ୍ଠ ପୋଲିସ ଅଧିକାରୀ, ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥାନ୍ତି। ସୂଚନାଯୋଗ୍ୟ ଯେ ପୁରୁଷୋତ୍ତମପୁର ଭଳି ଅନେକ ଥାନା ଅଞ୍ଚଳରେ ଫେରାର୍‌ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତିର ଏହା ପ୍ରଥମ ଘଟଣା ଅଟେ।

Comments are closed.