ବିରଳ ଗଳା କର୍କଟର ସଫଳ ଅସ୍ତ୍ରୋପଚାର : ଯୁବତୀଙ୍କ ପାଇଁ ଦେବଦୂତ ସାଜିଲେ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଦଳ

ଭୁବନେଶ୍ୱର – ଭୁବନେଶ୍ଵର ଏମସରେ ବିରଳ ଅସ୍ତ୍ରୋପଚାର । ଏକ ବିରଳ ଗଳା କର୍କଟ ରୋଗରୁ ଜଣେ ଯୁବତୀକୁ ବଞ୍ଚାଇ ଦେବଦୂତ ସାଜିଛନ୍ତି ଏମ୍ସ ଭୁବନେଶ୍ୱରର କିଛି ଯୁବ ଡାକ୍ତର । ରେଡିଏସନ ଓ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ ବା ଆଡେନଏଡ୍‌ ସିଷ୍ଟିକ୍ କାର୍ସିନୋମା ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣନାଶକ ରୋଗରୁ ଜଣେ ଯୁବତୀଙ୍କର ଅଭିନବ ଉପାୟରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ କରାଯାଇଛି ।

ଜଗତସିଂହପୁର ଜିଲ୍ଲାର ୨୫ ବର୍ଷୀୟା ଯୁବତୀ ବର୍ଷେରୁ ଅଧିକ ସମୟ ବିରଳ ଗଳା କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଯୁବତୀ ଜଣଙ୍କ ରାଜ୍ୟର ବିଭିନ୍ନ ହସ୍‌ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ ନିରାଶ ହୋଇଥିଲେ । ବାକ୍‌ଯନ୍ତ୍ର ଏବଂ ଖାଦ୍ୟନଳୀର ସଂଯୋଗସ୍ଥଳରେ ଟ୍ୟୁମର ଯୋଗୁଁ ଯୁବତୀଙ୍କର ଶ୍ବାସକ୍ରିୟା ଏବଂ କଥା କହିବାରେ କଠିନ ସମସ୍ୟା ସୃଷ୍ଟି ହେଉଥିଲା । ପରେ ସେ ଏମ୍ସ ଆସିଥିଲେ । ରାଡିଏସନ ଏବଂ କେମୋ ପ୍ରତିରୋଧୀ ଏହି ବିରଳ କର୍କଟରୁ ଉପଶମ ଦେବା ତଥା ତାଙ୍କର ଜୀବନ ରକ୍ଷା କରିବାକୁ ଏମ୍‌ସ ଭୁବନେଶ୍ୱରର ଇଏନ୍‌ଟି ଏବଂ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ଯୁବ ଡାକ୍ତରମାନଙ୍କ ଏକ ଦଶଜଣିଆ ୧୪ ଘଣ୍ଟା ଧରି ମାରାଥନ ଅସ୍ତ୍ରୋପଚାର କରିଥିଲେ। ଇଏନ୍‌ଟି ବିଭାଗର ବିଶେଷଜ୍ଞ ଡାକ୍ତର ବାକ୍‌ଯନ୍ତ୍ର , ଶ୍ବାସନଳୀ ଓ ଖାଦ୍ୟନଳୀର ଉପର ଭାଗ ଏବଂ ଥାଇରଏଡ୍ ଗ୍ରନ୍ଥିର କିଛି ଅଂଶ ଅସ୍ତ୍ରୋପଚାର ଦ୍ବାରା ବାହାର କରିଥିଲେ। ସେହିପରି ଗ୍ୟାଷ୍ଟ୍ରୋସର୍ଜରୀ ବିଶେଷଜ୍ଞ ବୃହଦନ୍ତ୍ର(କୋଲୋନ୍‌)ର ଏକ ଅଂଶକୁ କାଟି ବାହାର କରିବା ସହିତ ଏହାକୁ ଛାତି ମଧ୍ୟରେ ସ୍ତନ ହାଡ଼(ଷ୍ଟର୍ନମ୍‌) ତଳେ ଏବଂ ହୃତ୍‌ପିଣ୍ଡ ନିକଟରେ ଏକ କୃତ୍ରିମ ଟନେଲ୍‌ ସୃଷ୍ଟି କରି ଜିଭର ମୂଳ ସହିତ ପାକସ୍ଥଳୀକୁ ସଂଯୋଗ କରିଥିଲେ। ଏହି ପ୍ରକ୍ରିୟା ଦ୍ବାରା ଯୁବତୀଙ୍କର ଏକ ନୂତନ ଖାଦ୍ୟନଳୀ ସୃଷ୍ଟି କରାଯାଇପାରିଛି।
ଏହି ଜଟିଳ କର୍କଟ ରୋଗର ଅଭିନବ ଉପାୟରେ ହୋଇଥିବା ଅସ୍ତ୍ରୋପଚାର ପରେ ଯୁବତୀଙ୍କୁ ଆଇସିୟୁରେ ରଖାଯାଇଥିଲା। ଅସ୍ତ୍ରୋପଚାରର ଦୁଇ ମାସ ପରେ ଯୁବତୀଜଣଙ୍କ ବର୍ତ୍ତମାନ ସୁସ୍ଥ ଅନୁଭବ କରିବା ସହିତ ସ୍ବାଭାବିକ ଭାବେ ଶ୍ୱାସକ୍ରିୟା ସମ୍ପାଦନ କରିବା ଏବଂ ଖାଦ୍ୟ ଗ୍ରହଣ କରୁଛନ୍ତି। ପ୍ରାଣଘାତୀ କର୍କଟ ରୋଗର ସଫଳ ଅସ୍ତ୍ରୋପଚାରକୁ ନେଇ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ବାସ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ସମ୍ପୂର୍ଣ୍ଣ ଡାକ୍ତରୀ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡକ୍ଟର ବିଶ୍ବାସ। ଏହି ବିରଳ ଅସ୍ତ୍ରୋପଚାର ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.