ଦଳୀୟ କର୍ମୀଙ୍କ ଅନୁରୋଧ ରଖିଲେ ଶରଦ ପାୱାର, ଏନସିପି ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର କଲେ

ମୁମ୍ବାଇ: ଏନସିପିର ଜାତୀୟ ସଭାପତି ପଦରୁ ଶରଦ ପାୱାର ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଛନ୍ତି। ସେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ପାଓ୍ବାର କହିଛନ୍ତି ଯେ “ମୁଁ ଆପଣଙ୍କ (ଏନସିପି କର୍ମକର୍ତ୍ତା) ଭାବନାକୁ ଅପମାନିତ କରିପାରିବି ନାହିଁ। ମୁଁ ଭାବପ୍ରବଣ ହୋଇପଡିଛି ଓ ମୋର ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର କରୁଛି।”

୮୨ ବର୍ଷୀୟ ଶରଦ ପାୱାର କହିଛନ୍ତି, ମେ ୨ରେ ମୁଁ ଏନସିପି ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲି। ଲାଗୁଥିଲା ମୋର ଅନେକ ବର୍ଷର ସେବା ପରେ ମୋତେ ଅବସର ନେବାକୁ ପଡ଼ିବ ।

କିନ୍ତୁ ମୋର ନିଷ୍ପତ୍ତିରେ ଏନସିପି କର୍ମୀ ଏବଂ ପଦାଧିକାରୀ ଦୁଃଖିତ ହୋଇପଡ଼ିଥିଲେ । ମୋର ଶୁଭେଚ୍ଛୁ ଏବଂ କର୍ମୀ ଏବଂ ପ୍ରିୟଜନମାନେ ମୋତେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ | ଏନସିପିର ବରିଷ୍ଠ ନେତା ତଥା ସମସ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ମୁଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଜାତୀୟ ସଭାପତି ପଦରୁ ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର କରୁଛି। ମୁଁ ପୁଣି ଦଳର ସଭାପତି ପଦ ଗ୍ରହଣ କରୁଛି।

ଶରଦ ପାୱାରଙ୍କ ଏହି ଘୋଷଣା ପରେ ଏନସିପି କର୍ମୀମାନେ ମୁମ୍ବାଇ ସ୍ଥିତ ଦଳୀୟ ଅଫିସ୍ ବାହାରେ ଖୁସି ମନାଇଛନ୍ତି ।

ସୂଚନାଯୋଗ୍ୟ, ଶରଦ ପାୱାର ମେ ୨ରେ ଏନସିପି ସଭାପତି ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏହା ପରେ ସେ ଦଳର ନୂତନ ସଭାପତି ବାଛିବା ପାଇଁ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ତାଙ୍କ ପୁତୁରା ଅଜିତ ପାୱାର, ଝିଅ ସୁପ୍ରିୟା ସୁଲେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଏବଂ ଛଗନ ଭୁଜବଲଙ୍କୁ ସାମିଲ କରାଯାଇଥିଲା।

ଆଜି ଏକ ବୈଠକରେ ଏନସିପିର ଏହି କୋର୍ କମିଟି ପାଓ୍ବାରଙ୍କ ଇସ୍ତଫା ନାମଞ୍ଜୁର କରିଥିଲା। ଏହି ୮୨ ବର୍ଷୀୟ ନେତାଙ୍କୁ ଦଳର ସଭାପତି ପଦ ବଜାୟ ରଖିବାକୁ ଅନୁରୋଧ କରି ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ।

Comments are closed.