ଇମ୍ରାନ ଖାନଙ୍କ ଗିରଫଦାରୀ ପ୍ରତିବାଦରେ ପାକିସ୍ତାନରେ ବ୍ୟାପକ ହିଂସା

ଇସଲାମାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନ ଅଶାନ୍ତ ହୋଇପଡିଛି । ଇମ୍ରାନଙ୍କ ଗିରଫଦାରୀ ପ୍ରତିବାଦରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଦେଶର ବହୁ ସ୍ଥାନରେ ବ୍ୟାପକ ହିଂସା ଘଟିଛି।

ଇମ୍ରାନ ଖାନଙ୍କ ସମର୍ଥକ ଏବଂ ତେହେରିକ-ଇ-ଇନସାଫର କାର୍ଯ୍ୟକର୍ତ୍ତାମାନେ ରାୱଲପିଣ୍ଡିରେ ସେନା ମୁଖ୍ୟାଳୟରେ ମଧ୍ୟ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି ।

ସେହିପରି ଲାହୋରରେ ଉତ୍ତ୍ୟକ୍ତ ପିଟିଆଇ ବିକ୍ଷୋଭକାରୀମାନେ ଲିବର୍ଟି ଚୌକରେ ଥିବା ଆସ୍କାରି ଟାୱାରରେ ନିଆଁ ଲଗାଇ ଦେଇଥିଲେ। ଉକ୍ତ ଅଟ୍ଟାଳିକାରେ ଏକ ଅଡି କାର୍ ଶୋ’ରୁମ୍ ମଧ୍ୟ ରହିଥିଲା । ବିକ୍ଷୋଭକାରୀ ଏହି ଶୋ’ ରୁମକୁ ନିଜ କବଜାକୁ ନେଇ ଗାଡି ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି।

ବ୍ୟାପକ ହିଂସା ଦୃଷ୍ଟିରୁ ଦେଶରେ ମୋବାଇଲ୍ ବ୍ରଡବ୍ୟାଣ୍ଡ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସସପେଣ୍ଡ୍ କରାଯାଇଛି। ଇସଲାମାବାଦ, ଲାହୋର ଓ ରାଓ୍ବଲପିଣ୍ଡିରେ ଧାରା ୧୪୪ ଲାଗୁ କରାଯାଇଛି ।

ସେପଟେ ଇମ୍ରାନ ଖାନଙ୍କୁ ରାତାରାତି ଇସଲାମାବାଦ ସ୍ଥିତ ପୋଲିସ ଲାଇନର ମୁଖ୍ୟାଳୟକୁ ଅଣାଯାଇଛି ।

ଇସଲାମାବାଦ ହାଇକୋର୍ଟ ଗତକାଲି ବିଳମ୍ବିତ ରାତିରେ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବୈଧ ବୋଲି ଘୋଷଣା କରିଥିଲେ। ତେହେରିକ-ଇ-ଇନସାଫ (ପିଟିଆଇ) ନେତା ଫୱାଦ ଚୌଧୁରୀ ହାଇକୋର୍ଟଙ୍କ ରାୟକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ଇମ୍ରାନ ଖାନଙ୍କ ବେଆଇନ ଗିରଫଦାରୀ ଓ ହାଇକୋର୍ଟ ରାୟ ବିରୋଧରେ ଆମେ ସୁପ୍ରିମକୋର୍ଟ ଯିବୁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପିଟିଆଇ ଏକ ଜରୁରୀ ବୈଠକରେ ଇମ୍ରାନ ଖାନଙ୍କ ବେଆଇନ ଗିରଫଦାରୀକୁ ନିନ୍ଦା କରିବା ସହ ତାଙ୍କୁ ମୁକ୍ତ କରାଯିବା ପର୍ଯ୍ୟନ୍ତ ‘ଶାନ୍ତିପୂର୍ଣ୍ଣ’ ବିରୋଧ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।

ଇମ୍ରାନ ଏକ ମାମଲାରେ ହାଜର ପାଇଁ ଇସଲାମାବାଦ ହାଇକୋର୍ଟକୁ ଯାଇଥିବା ବେଳେ ମଙ୍ଗଳବାର ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିଲା । ରେଞ୍ଜର୍ସ ଟିମ୍ ତାଙ୍କ କଲର ଧରି ଟାଣି ଟାଣି ନେଇ ଗାଡ଼ି ଭିତରେ ପୂରାଇଥିଲା । ଇମ୍ରାନଙ୍କୁ ଅଲ୍ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା କୁହାଯାଇଛି । ତେବେ ସେ ବହୁଦିନ ଧରି ପାକ୍ ଗୁଇନ୍ଦା ବିଭାଗ ‘ଆଇଏସ୍ଆଇ’ ର ଜଣେ ବଡ଼ ଅଧିକାରୀଙ୍କ ବିରୋଧରେ ବୟାନବାଜି କରୁଥିଲେ । ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି।

Comments are closed.