ଗଜପତି ଜିଲ୍ଲାର ୨୩ ଶିକ୍ଷାନୁଷ୍ଠାନକୁ ୧୦.୫ କୋଟି ଅନୁଦାନ: ଭିତ୍ତିଭୂମି ବିକାଶ ଛାତ୍ରଛାତ୍ରୀଙ୍କୁ ଦେବ ଗୁଣାତ୍ମକ ଶିକ୍ଷାର ସୁଯୋଗ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ସାରି ୫ଟି ସଚିବ ଭି.କେ.ପାଣ୍ଡିଆନ ଭୁବନେଶ୍ୱର ଫେରିବା ସହ ଜିଲ୍ଲାର ୨୩ ଗୋଟି ଶିକ୍ଷାନୁଷ୍ଠାନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ୧୦ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏହି ଅନୁଦାନରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ କରାଯିବ। ସ୍ମାର୍ଟ ଶ୍ରେଣୀ କୋଠରୀ, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, ବିଶୁଦ୍ଧ ପାନୀୟ ଜଳ, ମଡର୍ଣ୍ଣ ଟଏଲେଟ୍ ଆଦି ନିର୍ମାଣ ବା ଆବଶ୍ୟକସ୍ଥଳେ ମରାମତି କରାଯିବ। ଏସବୁ ଭିତ୍ତିଭୂମିର ବିକାଶ ଗଜପତି ଭଳି ଆଦିବାସୀବହୁଳ ଜିଲ୍ଲାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ। ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ଗ୍ରହଣର ସୁଯୋଗ ପାଇବେ।

ଯୋଜନା ଓ ସମନ୍ବୟ ବିଭାଗ ବିଜ୍ଞପ୍ତି (୮୬୭୬/୧୦.୫.୨୦୨୩) ପ୍ରକାରେ ରାଜ୍ୟର ଅନ୍ୟତମ ପ୍ରାଚୀନ ମହାବିଦ୍ୟାଳୟ ଏସକେସିଜି ସ୍ବୟଂଶାସିତ କଲେଜକୁ ୧ କୋଟି ୨୫ ଲକ୍ଷ, ଏସକେସିଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୧ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି। ପାରଳାଖେମୁଣ୍ଡି ମହିଳା ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁରାଣ୍ଡିସ୍ଥିତ ମୀନକେତନ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ, କାଶୀନଗରସ୍ଥିତ ଶ୍ରୀରାମ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚାନ୍ଦିପୁଟରେ ଥିବା ଇନ୍ଦିରା ସ୍ମାରକୀ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆର୍.ଉଦୟଗିରିରେ ଥିବା ମହେନ୍ଦ୍ରଗିରି ଡିଗ୍ରୀ କଲେଜ, ମୋହନାସ୍ଥିତ ହିଲଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାୟଗଡ଼ ବ୍ଲକ୍ ସ୍ଥିତ ପର୍ଶୁରାମ ଗୁରୁକୁଳ ଯୁକ୍ତ ଦୁଇ କଲେଜକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବାର ଘୋଷଣା କରାଯାଇଛି।

ମୋହନା ଏବଂ ପାରଳାଖେମୁଣ୍ଡି ସଂସ୍କୃତ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାମଗିରିସ୍ଥିତ ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୋହନା ଏସଏସଡି ଯୁକ୍ତ ଦୁଇ କଲେଜ, ରାୟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗଡସ୍ଥିତ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁମ୍ମା ବ୍ଲକ୍ କେସିପୁରସ୍ଥିତ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆର୍.ଉଦୟଗିରି ବ୍ଲକ୍ ରାମଗିରିସ୍ଥିତ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଦର୍ଶାଯାଇଛି।

Comments are closed.