ବ୍ରଜମଣ୍ଡଳ ପରିକ୍ରମାରେ ମଥୁରାର ଆଉ କିଛି ଦର୍ଶନୀୟ ସ୍ଥାନ

ପାତାଳଦେବୀ ( ଯୋଗମାୟା ) : ଭୂତେଶ୍ୱର ମହାଦେବ ମନ୍ଦିର ନିକଟରେ ଗୁମ୍ଫା ମଧ୍ୟରେ ପାତାଳଦେବୀ ( ଯୋଗମାୟା ) ବିରାଜିତ। ମହୀ ରାବଣକୁ ବଦ୍ଧ କରିବାକୁ ରାମଭକ୍ତ ହନୁମାନ ଏହି ରାସ୍ତା ଦେଇ ପାତାଳ ପୁରକୁ ଗମନ କରିଥିଲେ।

କଂସକାଳୀ ମନ୍ଦିର : କଂସକାଳୀ ଦେବୀ ହେଉଛନ୍ତି ଅଷ୍ଟଭୁଜା ଦୁର୍ଗା। ଏହି କାଳୀଙ୍କୁ ଦେବକୀଙ୍କ କନ୍ୟା ମନେକରି କଂସ ଶୀଲାରେ କଚାଡି ଦେଇଥିଲେ। କିନ୍ତୁ କଂସ ହାତରୁ ଖସିଯାଇ ସିଏ ଆକାଶ ମାର୍ଗ ରୁ ଶୁନ୍ୟବାଣୀ କରିଥିଲେ।ଏହାଙ୍କୁ କଙ୍କାଳି ଦେବୀ ମଧ୍ୟ କୁହାଯାଏ।

ପୋତ୍ତରା କୁଣ୍ଡ : ଏହି କୁଣ୍ଡରେ ଦେବକୀ କୃଷ୍ଣଙ୍କ ଜନ୍ମ ପରଦିନ ଅଶୌଚ ବସ୍ତ୍ର ଧୋଇଥିଲେ। କଂସ ଦେଵକୀଙ୍କ ଛଅ ପୁତ୍ରଙ୍କୁ ଏହି କୁଣ୍ଡରେ ନିକ୍ଷେପ କରି ହତ୍ୟା କରିଥିଲା।

ମଥୁରାଦେବୀ : ଦୀର୍ଘବିଷ୍ଣୁ ମନ୍ଦିର ନିକଟରେ ପୂର୍ବ ଦିଗର ଏକ ଗଳି ରାସ୍ତାରେ ବିରଜମାନ କରିଛନ୍ତି ମଥୁରାଦେବୀ। ଏହି ଦେବୀ ହେଉଛନ୍ତି ମଥୁରାର ଅଧିଷ୍ଠାତ୍ରୀ ଦେବୀ।

ମହାବିଦ୍ୟା ଦେବୀ : ମହାବିଦ୍ୟା ଦେବୀଙ୍କୁ ଅମ୍ବିକା ଦେବୀ ମଧ୍ୟ କୁହାଯାଏ। ବ୍ରଜମଣ୍ଡଳର ସିଦ୍ଧ ଆଠ ପୀଠ ମଧ୍ୟରୁ ମହାବିଦ୍ୟା ଦେବୀ ପୀଠ ଅନ୍ୟତମ। ନିକଟରେ ରହିଛି ଅମ୍ବିକା ବନ।

ଜ୍ଞାନ- ବାପି : ମଥୁରା ପଞ୍ଚକୋଶି ପରିକ୍ରମା ମାର୍ଗରେ ଭୂତେଶ୍ୱର ମହାଦେବ ଓ କଟରା କେଶବ ଦେବ ( ଶ୍ରୀକୃଷ୍ଣ ଜନ୍ମସ୍ଥାନ ) ମଧ୍ୟରେ ଭୁଗର୍ଭରେ ଥିବା ଏହା ଏକ ମହତ୍ତ୍ୱପୂର୍ଣ୍ଣ ପୌରାଣିକ ତୀର୍ଥ। ଏହି ସ୍ଥାନରେ ରାଜା ଭର୍ତ୍ତୃହରିଙ୍କ ସମାଧି ରହିଛି।
….. କ୍ରମଶଃ

Comments are closed.