ସମ୍ବଲପୁର ଶୀତଳଷଷ୍ଠୀ: ପତରପେଣ୍ଡି ପାଇଁ ଉତ୍ସବମୁଖର ସହର 

ସମ୍ବଲପୁର : ବିଶ୍ବ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର। ଦିନକ ପୂର୍ବରୁ ନନ୍ଦପଡାର ବାଲୁଙ୍କେଶ୍ବର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ ସଂପନ୍ନ ହୋଇଥିବା ବେଳେ ଆଜି ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଶେଷ ହୋଇଯାଇଛି। ଏହି ପତରପେଣ୍ଡି ଶୋଭାଯାତ୍ରାରେ ସହର ଦୁଲୁକି ଉଠିଛି।

ଆଜି ଝାଡୁଆପଡାର ଲୋକନାଥ ବାବାଙ୍କ ପତରପେଣ୍ଡି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଏକ ସୁସଜ୍ଜିତ ରଥରେ ବରପିତା ଅମରନାଥ ସୁପକାର ସପ୍ତଋଷୀଙ୍କ ସହିତ ଭବ୍ୟ ଶୋଭାଯାତ୍ରାରେ କନ୍ୟା ଅନ୍ବେଷଣରେ ବାହାରିଥିଲେ। ସାଙ୍ଗରେ ନିର୍ବନ୍ଧର ଭେଳିକି ଭେଳି ପିଠାପଣା ଓ ପୂଜା ସାମଗ୍ରୀ ନେଇ ଗୁରୁପଡା ସ୍ଥିତ କନ୍ୟା ପିତାମାତା ଡାକ୍ତର ଗିରିଶ ଚନ୍ଦ୍ର ବେହେରା ଏବଂ ଡାକ୍ତର ରେଣୁକା ସାହୁଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷର ଆଲୋଚନା ପରେ ବିବାହ ପାଇଁ ସମ୍ମତି ପ୍ରକାଶ ପାଇଥିଲା। ଏହାପରେ ବରପିତା ପତରପେଣ୍ଡି ଥାଳକୁ କନ୍ୟା ପିତାମାତାଙ୍କୁ ହସ୍ତାନ୍ତର କରି ବିବାହ ପାଇଁ ସ୍ଥିର କରିଥିଲେ। ଏଥିରେ ଦୁଲଦୁଲି, ଗୌରବାଡି ଏବଂ ଧମାଲ ବଜା ସାମିଲ ହୋଇଥିଲା।

ସେହିପରି ଅନ୍ୟତମ ପ୍ରମୁଖ କମିଟି ମୁଦିପଡାର ଜାଗେଶ୍ବର ବାବାଙ୍କ ପତରପେଣ୍ଡି ମଧ୍ୟ ମହାସମାରୋହରେ ସଂପନ୍ନ ହୋଇଛି। ବରପିତା ମଧୂସୂଦନ ନେଗୀ ସପ୍ତଋଷୀଙ୍କ ସହ ଭବ୍ୟ ଶୋଭାଯାତ୍ରାରେ ଲକ୍ଷ୍ମୀ ଟକିଜ ଛକ ନିକଟସ୍ଥ କନ୍ୟା ପିତାମାତା ଏସ ମନୋଜଙ୍କ ଘରେ ପହଞ୍ଚିବା ପରେ ପତରପେଣ୍ଡି ନୀତି ସଂପନ୍ନ ହୋଇଛି। ଏହାବାଦ ବଡବଜାରର ଶୀତଳେଶ୍ବର ବାବା, ଠାକୁରପଡାର ଗୁପ୍ତେଶ୍ବର ବାବା, ବୁଢାରଜାର ପାହାଡେଶ୍ବର ବାବା, ଦୁର୍ଗ।ପାଲିର ଗୁଡେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା, ସିନ୍ଦରୁପଙ୍କର ତାରକେଶ୍ବର ବାବା ସମେତ ସମସ୍ତ ଶିବାଳୟର ପତରପେଣ୍ଡି ନୀତି ଆଜି ସଂପନ୍ନ ହୋଇଯାଇଛି। ଘଣ୍ଟ, ଘଣ୍ଟା, ଦୁଲଦୁଲି, ଧମାଲ ବାଦ୍ୟ ସମେତ ବିଭିନ୍ନ ସାଂସ୍କୃତିକ ଦଳର ଶୋଭାଯାତ୍ରାରେ ସହର ଦୁଲୁକି ଉଠିଛି। ଆସନ୍ତାକାଲି ସମସ୍ତ କମିଟିର ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ନୀତି ଅନୁଷ୍ଠିତ ହେବ।

Comments are closed.