ରେକର୍ଡ ମାଟ୍ରିକ ରେଜଲ୍ଟ ଯୋଗୁଁ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବୃଦ୍ଧି, ୧୦୬ଟି ହାଇସ୍କୁଲର ଅପଗ୍ରେଡେସନ 

ଭୁବନେଶ୍ବର- ଏଥର ରାଜ୍ୟରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାସ୍ କରିଥିବା ବେଳେ ସରକାର ଆଜି ଯୁକ୍ତ ଦୁଇ ବା ଏକାଦଶ ଶ୍ରେଣୀ ସିଟ୍ ସଂଖ୍ୟା ବୃଦ୍ଧି କରିଛନ୍ତି । ୧୦୬ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀର କଳା ଓ ବିଜ୍ଞାନ ବିଭାଗରେ ମୋଟ ୧୩ ହଜାର ୪୬୮ଟି ନୂଆ ସିଟ୍ ମିଶାଯାଇଛି । ଗତ ୪ ଦିନ ତଳେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ୯୬.୪ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ଏତେ ସଂଖ୍ୟକ ପିଲା ପାସ୍ କରିଥିବାରୁ ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ଯୁକ୍ତ ଦୁଇ ଶ୍ରେଣୀରେ ସିଟ୍ ଅଭାବ ଦେଖାଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ।

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୦ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀରେ କଳା ଓ ୬ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏଥିପାଇଁ ସମ୍ପୃକ୍ତ ସ୍କୁଲଗୁଡ଼ିକର ଅପଗ୍ରେଡେସନ କରାଯାଇଛି । ଏହି ସ୍କୁଲଗୁଡ଼ିକରେ ଏକାଦଶ ଶ୍ରେଣୀରେ ୨ଟି ଲେଖାଏଁ ସେକ୍ସନ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ଜଣ ଲେଖାଏଁ ପିଲା ନାମ ଲେଖାଇ ପାରିବେ । ଏହା ଦ୍ୱାରା ରାଜ୍ୟର ୧୦୬ଟି ସରକାରୀ ସ୍କୁଲରେ ମୋଟ ୧୩୪୬୮ଟି ସିଟ୍ ନାମଲେଖା ପାଇଁ ବୃଦ୍ଧି ପାଇବ । ସମ୍ପୃକ୍ତ ହାଇସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକମାନେ ଏବେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଏଥିପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ସ୍କୁଲଗୁଡ଼ିକରେ ଶିକ୍ଷାଦାନ ନିମନ୍ତେ ଅତିଥି ଶିକ୍ଷକଙ୍କୁ ନିୟୋଜନ କରିବାକୁ ସ୍କୁଲସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

Comments are closed.