ସମ୍ବଲପୁର ଶୀତଳଷଷ୍ଠୀ- ରେକର୍ଡ ସଂଖ୍ୟକ ପୁଲିସ ମୁତୟନ 

ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ପାଇଁ ଏବର୍ଷ ପୁଲିସ ବ୍ୟବସ୍ଥା ରେକର୍ଡ ଟପିଛି। ୨ ଶହରୁ ଅଧିକ ଅଫିସରଙ୍କ ସମେତ ୬୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସମ୍ବଲପୁର ସମେତ ପଡୋଶୀ ଅନେକ ଜିଲ୍ଲାର ପୁଲିସ ଫୋର୍ସ ଏଥିରେ ସାମିଲ ହୋଇଛନ୍ତି। ସେପଟେ, ଆଜି ଅପରାହ୍ନରେ ଏସପି ବାତୁଳା ଗଙ୍ଗାଧର ରିଜର୍ଭ ପଡିଆରେ ସମସ୍ତ ଅଫିସର ଏବଂ ପୁଲିସ ଫୋର୍ସକୁ ଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁମନ୍ତ୍ର ଦେଇଛନ୍ତି। ଅପରପକ୍ଷେ, ଆଜି ସମସ୍ତ ଯାତ୍ରା କମିଟିର ଦେବ ନିମନ୍ତ୍ରଣ ନୀତି ଶେଷ ହୋଇଥିବା ବେଳେ ଆସନ୍ତାକାଲି ମହାଦେବ ବାରାତରେ ବାହାରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି।

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଏବର୍ଷ ପ୍ରଶାସନ ପକ୍ଷରୁ ରେକର୍ଡ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି। ଚଳିତବର୍ଷର ପୁଲିସ ବ୍ୟବସ୍ଥା ବିଗତ ସବୁ ବର୍ଷର ରେକର୍ଡ ଟପିଛି। ସାରା ସମ୍ବଲପୁର ପୁଲିସ ଛାଉଣୀରେ ପରିଣତ ହୋଇଛି। ଏଥିରେ ଏସପିଙ୍କ ନେତୃତ୍ବରେ ୩ ଜଣ ଅତିରିକ୍ତ ଏସପି, ୨୧ ଜଣ ଡିଏସପି, ୪୦ ଇନ୍ସପେକ୍ଟର, ୧୯୭ ଏସଆଇ ଏବଂ ଏଏସଆଇ, ୧୧ ପ୍ଲାଟୁନ ହୋମଗାର୍ଡ, ୨୪୦ କନଷ୍ଟବଲ ଆଦି ମିଶାଇ ମୋଟ୍ ୬୫ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗତ ହନୁମାନ ଜୟନ୍ତୀ ବେଳେ ହୋଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ ପୁଲିସ ପକ୍ଷରୁ ଏଭଳି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏବର୍ଷ ସହରର ଚାରି ପଟରେ ଆୟୋଜିତ ହେଉଥିବା ପ୍ରତି ଯାତ୍ରା କମିଟି ପାଇଁ ସ୍ବତନ୍ତ୍ର ପୁଲିସ ବ୍ୟବସ୍ଥା କରାଯାଇଛି। ସେପଟେ, ସହର ସାରା ସିସିଟିଭି କ୍ୟାମେରା ସହ ଡ୍ରୋନରେ ପୁଲିସ ନଜର ରଖିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଏସପି ଶ୍ରୀ ଗଙ୍ଗାଧର ସମସ୍ତ ପୁଲିସ ଅଫିସର ଏବଂ ଫୋର୍ସକୁ ରିଜର୍ଭ ପଡିଆରେ ଉଦବୋଧନ ଦେଇ ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁମନ୍ତ୍ର ଦେଇଛନ୍ତି।

ସେହିପରି ଆଜି ସମସ୍ତ ଯାତ୍ରା କମିଟିର ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ନୀତି ଶେଷ ହୋଇଥିବା ବେଳେ ଆସନ୍ତାକାଲି ସଂହାରକର୍ତ୍ତ। ଶିବ ବରବେଶରେ ସଜ୍ଜିତ ହୋଇ କନ୍ୟାଘର ଅଭିମୁଖେ ବାହାରିବେ।

Comments are closed.