କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ପାରାଲିମ୍ପିକ୍ସ ଉଦଘାଟନୀ ଉତ୍ସବରୁ ବଞ୍ଚିତ ହେଲେ ଥାଙ୍ଗାଭେଲୁ, ଟେକ୍ ଚାନ୍ଦ ହେବେ ଧ୍ଵଜା ବାହକ

ଟୋକିଓ: ପାରାଲିମ୍ପିକ୍ସ ପୂର୍ବରୁ ଭାରତର ପଦକ ଆଶାୟୀ
ତଥା ହାଇ ଜମ୍ପ ଆଥଲେଟ୍ ମାରିଆପାନ୍ ଥାଙ୍ଗାଭେଲୁଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ଛି । ଟୋକିଓ ଅଭିମୁଖେ ଯାତ୍ରା ସମୟରେ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ପାରାଲିମ୍ପିକ୍ ଗେମ୍ସର ଉଦଘାଟନୀ ଉତ୍ସବରୁ ବଞ୍ଚିତ ହୋଇଛନ୍ତି । ଉଦଘାଟନୀ ଉତ୍ସବ ପାଇଁ ଥାଙ୍ଗାଭେଲୁଙ୍କୁ ପତାକା ବାହକ ଭାବେ ମନୋନୀତ କରାଯାଇଥିଲା । ତାଙ୍କ ସ୍ଥାନରେ ଏବେ ଜାଭେଲିନ୍ ଥ୍ରୋୟର ଟେକ୍ ଚାନ୍ଦ ଏହି ଦାୟିତ୍ବ ତୁଲାଇବେ |

ରିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ମାରିଆପାନ୍ ଅନ୍ୟ ପାଞ୍ଚ ଜଣ ଭାରତୀୟଙ୍କ ସହିତ ସଙ୍ଗରୋଧରେ ଅଛନ୍ତି। ସମାନ କାରଣରୁ ଡିସ୍କସ୍ ଥ୍ରୋୟର୍ ବିନୋଦ କୁମାର ମଧ୍ୟ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିପାରିବେ ନାହିଁ।
ଭାରତର ଦଳର ଚିଫ୍ ଡି’ମିଶନ୍ ଗୁରୁଶରଣ ସିଂ କହିଛନ୍ତି, ଟୋକିଓ ପାରାଲିମ୍ପିକ୍ କୋଭିଡ୍ କଣ୍ଟ୍ରୋଲ୍ ରୁମରୁ ଆମେ ବର୍ତ୍ତମାନ ସୂଚନା ପାଇଛୁ ଯେ ଆମର ୬ ଜଣ ପାରା ଖେଳାଳି ଟୋକିଓ ଯାତ୍ରା ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ସହ ସଂସ୍ପର୍ଶରେ ଆସିଥିଲେ।

ଏହି ୬ ଖେଳାଳିଙ୍କ ମଧ୍ୟରୁ ମାରିଆପ୍ପାନ ଏବଂ ବିନୋଦ କୁମାର ସଂକ୍ରମିତଙ୍କ ନିକଟତମ ସମ୍ପର୍କ ଥିବା ଜଣାପଡିଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ମାରିଆପନ୍ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇ ପାରିବେ ନାହିଁ। ସେ ଆମର ଧ୍ଵଜା ବାହକ ଥିଲେ । ତାଙ୍କ ସ୍ଥାନରେ ଟେକ୍ ଚାନ୍ଦ ପତାକା ଧରିବେ ବୋଲି ଗୁରୁଶରଣ କହିଛନ୍ତି ।

ସିଂ କହିଛନ୍ତି ଯେ ଉଭୟ ମାରିଆପନ୍ ଏବଂ ବିନୋଦ ସେମାନଙ୍କ ଇଭେଣ୍ଟରେ ଅଂଶଗ୍ରହଣ କରିବେ କାରଣ ସେମାନଙ୍କ ‌କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।

ଉଲ୍ଲେଖଯୋଗ୍ୟ ଯେ ଟୋକିଓରେ ଆଜିଠାରୁ ପାରାଲିମ୍ପିକ୍ସ ଆରମ୍ଭ ହେଉଛି । ଭାରତର ୫୪ ପାରା ଆଥଲେଟ୍ ଏଥିରେ ଅଂଶଗ୍ରହଣ କରିବେ ।

Comments are closed.