ରେସଲରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା ବିଶ୍ଵ କୁସ୍ତି ସଂଘ, ବ୍ୟାନ୍ କରିବାକୁ ଚେତାବନୀ

କୋର୍ସିୟର ସର୍ ଭେଭି (ସ୍ୱିଜରଲ୍ୟାଣ୍ଡ): ଭାରତର ଷ୍ଟାର ରେସଲରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଏବେ ବିଶ୍ଵ କୁସ୍ତି ସଂଘ ‘ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲୁଡବ୍ଲୁ)’ ଗମ୍ଭୀରତାର ସହ ନେଇଛି । ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଗତ ମଙ୍ଗଳବାର ଭାରତୀୟ କୁସ୍ତିଯୋଦ୍ଧାମାନଙ୍କୁ ଯେଉଁଭଳି ପୋଲିସ ଜୋର୍ ଜବରଦସ୍ତି ଅଟକ ରଖିଥିଲା ତାହାକୁ ୟୁଡବ୍ଲୁଡବ୍ଲୁ ନିନ୍ଦା କରିଛି । ଯଦି ଧାର୍ଯ୍ୟ ସମୟରେ ନିର୍ବାଚନ ନ ହୁଏ, ତେବେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)କୁ ବ୍ୟାନ୍ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛି ୟୁଡବ୍ଲୁଡବ୍ଲୁ ।

ୟୁଡବ୍ଲୁଡବ୍ଲୁ ଏକ ବିବୃତ୍ତିରେ କହିଛି ଯେ, ଡବ୍ଲୁଏଫ୍ଆଇର ବିଦାୟୀ ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ରେସଲରଙ୍କ ଆନ୍ଦୋଳନ ଉପରେ ଆମେ ନଜର ରଖିଛୁ ।

ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ ନେଇ ଭାରତୀୟ କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନେଇ ଆମେ ଚିନ୍ତିତ ‌‌‌‌।

ଉଲ୍ଲେଖଯୋଗ୍ୟ ଯେ, ମେ ୨୮ରେ ଉଦଘାଟନ ହେବାର କିଛି ଘଣ୍ଟା ପରେ ନୂଆ ସଂସଦ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଥିବା ବେଳେ କୁସ୍ତିଯୋଦ୍ଧା ମାନଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଥିଲା । କୁସ୍ତିଯୋଦ୍ଧାଙ୍କ ସହ ପୋଲିସର ଧସ୍ତାଧସ୍ତି ମଧ୍ୟ ହୋଇଥିଲା ‌। କୁସ୍ତିଯୋଦ୍ଧାଙ୍କୁ ପୋଲିସ ଟାଣି, ଘୋଷାଡି ନେଇ ଭ୍ୟାନରେ ପୂରାଇବା ଭିଡ଼ିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାଛଡ଼ା ସେମାନଙ୍କୁ ଜନ୍ତର ମନ୍ତରରୁ ହଟାଇ ଦିଆଯାଇଥିଲା ।

ୟୁଡବ୍ଲୁଡବ୍ଲୁ କହିଛି, ଗତ କିଛି ଦିନର ଘଟଣାକ୍ରମ ଅଧିକ ଚିନ୍ତାଜନକ ‌‌‌‌। କାରଣ କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ ଅଟକ ରଖିଥିଲା । ସେମାନଙ୍କୁ ବିକ୍ଷୋଭ ସ୍ଥଳରୁ ମଧ୍ୟ ହଟାଇ ଦିଆଯାଇଥିଲା। କୁସ୍ତିଯୋଦ୍ଧାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆମେ ନିନ୍ଦା କରୁଛୁ। ଏହାଛଡ଼ା ଏପର୍ଯ୍ୟନ୍ତ ତଦନ୍ତ ଫଳାଫଳ ଉପଲବ୍ଧ ନ ହେବା ନିରାଶାଜନକ। ସମ୍ପୃକ୍ତ ଅଧିକାରୀଙ୍କୁ ଏହି ଘଟଣାର ନିରପେକ୍ଷ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଆମେ ଅନୁରୋଧ କରୁଛୁ ।

ୟୁଡବ୍ଲୁଡବ୍ଲୁ କୁସ୍ତିଯୋଦ୍ଧାମାନଙ୍କ ସ୍ଥିତି ଏବଂ ସୁରକ୍ଷା ସମ୍ପର୍କରେ ଉଦବେଗ ପ୍ରକାଶ କରି ସେମାନଙ୍କ ଅଭିଯୋଗର ନ୍ୟାୟୋଚିତ ତଥା ସଠିକ୍ ସମାଧାନ ପାଇଁ ଦାବି କରିଛି ।

ଏହାଛଡ଼ା ୟୁଡବ୍ଲୁଡବ୍ଲୁ ଆସନ୍ତା ସାଧାରଣ ବୈଠକ ନେଇ ଆଇଓଏ ଏବଂ ଆଡ-ହକ୍ କମିଟିରୁ ସୂଚନା ଲୋଡିଛି | ନିର୍ବାଚନ ପାଇଁ ଦିଆଯାଇଥିବା ୪୫ ଦିନର ସମୟ ସୀମାକୁ ସମ୍ମାନ ଦିଆଯିବା ଉଚିତ୍ | ଯଦି ଏହି ସମୟସୀମା ମଧ୍ୟରେ ନିର୍ବାଚନ ନହୁଏ, ତେବେ ଡବ୍ଲୁଏଫ୍ଆଇକୁ ନିଲମ୍ବିତ କରାଯାଇପାରେ ବୋଲି ଚେତାବନୀ ଦେଇଛି ୟୁଡବ୍ଲୁଡବ୍ଲୁ।

ଅନ୍ୟପକ୍ଷରେ କୁସ୍ତିଯୋଦ୍ଧାଯାନେ ଗଙ୍ଗାରେ ନିଜ ଅଲିମ୍ପିକ୍ ଓ ବିଶ୍ବ ଚାମ୍ପିୟନସିପ୍ ପଦକ ବିସର୍ଜନ ଯୋଜନାକୁ ସ୍ଥଗିତ ରଖିଛନ୍ତି ‌‌। ସେମାନେ ମଙ୍ଗଳବାର ପଦକ ବିସର୍ଜନ ପାଇଁ ହରିଦ୍ଵାର ଯାଇଥିଲେ ‌‌। ହେଲେ କୃଷକ ନେତା ନରେଶ ଟିକାୟତ ବୁଝାସୁଝା କରିବା ପରେ ସେମାନେ ପଦକ ବିସର୍ଜନ ଯୋଜନାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କୁସ୍ତିଯୋଦ୍ଧାଯାନେ ସରକାରଙ୍କୁ ପାଞ୍ଚ ଦିନ ସମୟ ଦେଇଛନ୍ତି।

Comments are closed.