ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ଓ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା

ଚମ୍ପକ ଦ୍ୱାଦଶୀ(ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ)ରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ଦେବୀ ରୁକ୍ମିଣୀ (ଶ୍ରୀଦେବୀ) ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରିଥିଲେ। ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରାଯାଇଥିଲା।ଏହାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି ନୀତି ବଢିଥିଲା।

ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ଭିତରକୁ ବିଜେ କରାଯାଇ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ ପରେ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀ(ରୁକ୍ମିଣୀ)କୁ ବିଜେ କରାଯାଇଥିଲା। ଏହାପରେ ଏଜ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରଦକ୍ଷଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଥିବା ଶ୍ରୀନଅରକୁ ଦେବ ଦମ୍ପତି ବିଜେ କରିଥିଲେ।

ଶ୍ରୀନଅର ଦୁଆରୁ ଗଜପତି ମହାରାଜା ସେମାନଙ୍କୁ ସମ୍ମାନରେ ବନ୍ଦାପନା କରି ଭିତରକୁ ପାଛୋଟି ନେଇଥିଲେ। ସେଠି ମହାସୁଆର ଦ୍ୱାର ପ୍ରସ୍ତୁତ ପିଠା ପଞ୍ଚୋପଚାରରେ ପୂଜା ଓ ମଣୋହି ହୋଇଥିଲା।ଗଜପତିଙ୍କ ପରିବାରର ନାରୀମାନେ ଶ୍ରୀନଅରଠାରେ ପ୍ରଭୁ ଓ ଦେବୀଙ୍କୁ ବନ୍ଦାପନା କରି ଭେଟି ପ୍ରଦାନ କରିଥିଲେ।ଏହାପରେ ବରକନ୍ୟା ସେବକମାନଙ୍କଦ୍ୱାରା ନଗର ପରିକ୍ରମା କରିବା ସହିତ ପନ୍ତି ଭୋଗ ଗ୍ରହଣ କରି ଶ୍ରୀନଅର, ବାଲିସାହି, ଜିୟରସ୍ୱାମୀ ମଠ, ବରାହୀ ଠାକୁରାଣୀ ମନ୍ଦିର, ହାଟମୁଣ୍ଡ ଓ ହରଚଣ୍ଡୀ ସହି ଦେଇ ଶ୍ରୀଜମ୍ବେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ଥିଲେ।ସେଠାରେ ପଞ୍ଚୁଗ୍ରାସୀ ଭୋଗ ସହିତ ବନ୍ଦାପନା ହୋଇଥିଲା।ସେଠାରୁ ଦେବାଦେବୀମାନେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆ ଚୌରାସ୍ଥିତ ଶ୍ରୀକପାଳମୋଚନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ ।

Comments are closed.