ଦେଶର ସବୁଠୁ ବଡ଼ ରେଳ ଟ୍ରାଜେଡି ମଧ୍ୟରେ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା, ଭାରତୀୟ ରେଳ ଇତିହାସର ୮ ଭୟଙ୍କର ଟ୍ରେନ୍ ଟ୍ରାଜେଡି

ନୂଆଦିଲ୍ଲୀ: ଓଡିଶାରେ ବାଲେଶ୍ବର ନିକଟ ବାହାନଗାରେ ଶୁକ୍ରବାର ରାତିରେ ଘଟିଥିବା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାରେ ଅତି କମରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ବେଙ୍ଗାଲୁରୁ-ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଓ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରଥମ ଥର ତିନୋଟି ଟ୍ରେନ୍ ଏକା ଥରକେ ଦୁର୍ଘଟଣାଗ୍ରସ୍ତ ହେବା ଭାରତୀୟ ରେଳ ଇତିହାସରେ ପ୍ରଥମ ଘଟଣା ।

ବାଲେଶ୍ଵର ଟ୍ରେନ୍ ଟ୍ରାଜେଡି ସ୍ବାଧୀନତା ପରଠାରୁ ଦେଶରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ମଧ୍ୟରୁ ଗୋଟିଏ। ବାଲେଶ୍ବରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଗୋଆ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ ବାତିଲ କରାଯାଇଛି । ଟ୍ରେନ୍ ଦୁର୍ଘଟଣା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ଭାରତରେ ୮ ବଡ଼ ଟ୍ରେନ୍ ଦୁର୍ଘଟଣା:

* ୬ ଜୁନ୍ ୧୯୮୧ରେ ବିହାରରେ ଘଟିଥିଲା ଦେଶର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା । ବ୍ରିଜ ପାର ହେଉଥିବା ବେଳେ ବାଗମତୀ ନଦୀରେ ଖସିପଡ଼ିଥିଲା ଏକ ଟ୍ରେନ୍ । ଏହି ଦୁର୍ଘଟଣାରେ ୭୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

* ୨୦ ଅଗଷ୍ଟ ୧୯୯୫ରେ ଫିରୋଜାବାଦ ନିକଟ ଟ୍ରାକରେ ଠିଆ ହୋଇଥିବା କାଲିନ୍ଦୀ ଏକ୍ସପ୍ରେସକୁ ଧକ୍କା ଦେଇଥିଲା ପୁରୁଷୋତ୍ତମ ଏକ୍ସପ୍ରେସ । ଏହି ଦୁର୍ଘଟଣାରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୩୦୫ ଥିଲା।

* ୨୬ ନଭେମ୍ବର ୧୯୯୮ରେ ଜମ୍ମୁ ତାୱି-ସିଆଲଦା ଏକ୍ସପ୍ରେସ ପଞ୍ଜାବର ଖାନ୍ନାରେ ଫ୍ରଣ୍ଟିୟର ଗୋଲଡେନ୍ ଟେମ୍ପଲ ମେଲର ତିନିଟି ଲାଇନଚ୍ୟୁତ ବଗିକୁ ଧକ୍କା ଦେବାରୁ ୨୧୨ ଜଣ ପ୍ରାଣ ହରାଇଥିଲେ ।

* ୨ ଅଗଷ୍ଟ ୧୯୯୯ରେ ଉତ୍ତର ସୀମାନ୍ତ ରେଳବାଇ ଅନ୍ତର୍ଗତ କଟିହାର ଡିଭିଜନର ଗ୍ୟାସଲ ଷ୍ଟେସନରେ ଛିଡ଼ା ହୋଇଥିବା ଅବଧ-ଆସାମ ଏକ୍ସପ୍ରେସକୁ ଧକ୍କା ଦେଇଥିଲା ବ୍ରହ୍ମପୁତ୍ର ଏକ୍ସପ୍ରେସ । ଏହି ଦୁର୍ଘଟଣାରେ ୨୮୫ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୩୦୦ ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଅଧିକାଂଶ ସେନା, ବିଏସ୍ଏଫ୍ ଓ ସିଆରପିଏଫ କର୍ମଚାରୀ ଥିଲେ ।

* ନଭେମ୍ବର ୨୦, ୨୦୧୬ରେ ଇନ୍ଦୋର-ରାଜେନ୍ଦ୍ର ନଗର ଏକ୍ସପ୍ରେସର ୧୪ଟି ବଗି କାନପୁରଠାରୁ ପ୍ରାୟ ୬୦ କିଲୋମିଟର ଦୂର ପୁଖରାୟାଁରେ ଲାଇନଚ୍ୟୁତ ହୋଇଥିଲା । ଫଳରେ ୧୫୨ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨୬୦ ଆହତ ହୋଇଥିଲେ ।

* ୯ ସେପ୍ଟେମ୍ବର ୨୦୦୨ରେ ହାୱଡା-ରାଜଧାନୀ ଏକ୍ସପ୍ରେସ ଧାୱା ନଦୀ ଉପରେ ଏକ ପୋଲ ଭାଙ୍ଗିବା କାରଣରୁ ରଫିଗଞ୍ଜରେ ଲାଇନଚ୍ୟୁତ ହୋଇଥିଲା । ଏହି ଟ୍ରେନ୍ ଦୁର୍ଘଟଣାରେ ଚାଲିଯାଇଥିଲା ୧୪୦ରୁ ଅଧିକ ଲୋକଙ୍କର ଜୀବନ । ଏହି ଘଟଣା ପାଇଁ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ଦାୟୀ କରାଯାଇଥିଲା।

* ଡିସେମ୍ବର ୨୩, ୧୯୬୪ରେ ପମ୍ବନ-ଧନୁଷକୋଡି ପାସେଞ୍ଜର ଟ୍ରେନ୍ ଘୂର୍ଣ୍ଣିଝଡ଼ କାରଣରୁ ରାମେଶ୍ୱରମ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୧୨୬ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

* ମେ ୨୮, ୨୦୧୦ରେ, ମୁମ୍ବାଇ ଅଭିମୁଖେ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍ ଝାରଗ୍ରାମ ନିକଟରେ ଲାଇନଚ୍ୟୁତ ହୋଇ ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହେବାରୁ ୧୪୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

Comments are closed.