କୁସ୍ତି ପ୍ରତିବାଦ: ଆନ୍ଦୋଳନରୁ ଓହରିବା ଖବରକୁ ସାକ୍ଷୀ ମଲିକଙ୍କ ଖଣ୍ଡନ, ଲଢ଼େଇ ଜାରି ରହିବ କହିଲେ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ବିଦାୟୀ ସଭାପତି ବ୍ରଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ଦାବିରେ ଚାଲିଥିବା ଆନ୍ଦୋଳନରୁ ସେ ଓହରି ଯାଇଥିବା ଖବରକୁ ଷ୍ଟାର ମହିଳା ରେସଲର ସାକ୍ଷୀ ମଲିକ ଖଣ୍ଡନ କରିଛନ୍ତି ।

ଆନ୍ଦୋଳନରୁ ସେ ଓହରି ଯାଇଥିବା ଖବର ପ୍ରସାରଣ ପରେ ସାକ୍ଷୀ ମଲିକ ଟ୍ବିଟ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ଏକ ଗୁଜବ ଏବଂ ସେ ଏହି ଆନ୍ଦୋଳନରୁ ଓହରି ନାହାଁନ୍ତି। ଏହି ଖବର ସମ୍ପୂର୍ଣ୍ଣ ଭୁଲ୍ । ନ୍ୟାୟ ପାଇଁ ଲଢେଇ ଜାରି ରହିବ । ସତ୍ୟାଗ୍ରହ ସହିତ ମୁଁ ରେଳବାଇରେ ମୋର ଦାୟିତ୍ଵ ତୁଲାଉଛି | ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ | କୌଣସି ଭୁଲ ଖବର ପ୍ରସାରଣ ନ କରିବାକୁ ସାକ୍ଷୀ ଟ୍ବିଟ୍ କରିଛନ୍ତି ।

ବ୍ରିଜ ଭୂଷଣଙ୍କ ବିରୋଧରେ ଆନ୍ଦୋଳନରେ ସାମିଲ ଥିବା ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ରେଳବାଇ ଚାକିରିରେ ଯୋଗ ଦେଇଛନ୍ତି | ଉଭୟଙ୍କୁ ରେଳବାଇରେ ଓଏସଡି (କ୍ରୀଡା) ଭାବେ ନିଯୁକ୍ତି ଦିଆଯାଇଛି |

ଏହା ପୂର୍ବରୁ ବ୍ରିଜ ଭୂଷଣ ଶରଣ ସିଂଙ୍କ ଗିରଫଦାରୀ ନେଇ ସାକ୍ଷୀ ମଲିକ, ବିନେଶ ଫୋଗଟ୍ ଓ ବଜରଙ୍ଗ ପୁନିଆ ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ବୈଠକ ଦୁଇ ଘଣ୍ଟା ଧରି ଚାଲିଥିଲା। ଏହି ବୈଠକ ପରେ ବଜରଙ୍ଗ ପୁନିଆଙ୍କୁ ଗୃହମନ୍ତ୍ରୀଙ୍କ ସହ କ’ଣ ଆଲୋଚନା ହେଲା ବୋଲି ପଚରାଯାଇଥିଲା । ହେଲେ ସେ କିଛି କହିନଥିଲେ ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୁସ୍ତିଯୋଦ୍ଧାମାନେ ଅମିତ ଶାହାଙ୍କୁ ଭେଟି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ଏବଂ ତାଙ୍କ ବିରୋଧରେ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ କହିଥିଲେ। ଏହି ଘଟଣାର ଉଚିତ ତଦନ୍ତ ହେବ ବୋଲି କୁସ୍ତିଯୋଦ୍ଧାଙ୍କୁ ଆଶ୍ବାସନା ଦେଇଥିଲେ ଶାହା । ତଦନ୍ତ ପାଇଁ ପୋଲିସକୁ ସମୟ ଦିଆଯିବା ଉଚିତ ବୋଲି ଶାହା କହିଥିଲେ ।

Comments are closed.