ବାହାନଗା ଟ୍ରେନ୍ ଟ୍ରାଜେଡି: ମାମଲା ରୁଜୁ କଲା ସିବିଆଇ

ବାଲେଶ୍ବର/ନୂଆଦିଲ୍ଲୀ: ବାହାନଗା ବଜାର ଷ୍ଟେସନ୍ ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଏହି ମାମଲାରେ ସିବିଆଇ ମଙ୍ଗଳବାର ଏକ କେସ୍ ରୁଜୁ କରିଛି। ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ କେନ୍ଦ୍ରୀୟ ଏଜେନ୍ସିର ଏକ ଟିମ୍ ବାଲେଶ୍ବରରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅଧିକାରୀ ଜଣକ କହିଛନ୍ତି, ରେଳ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଓଡ଼ିଶା ସରକାରଙ୍କ ସହମତି ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କରମଣ୍ଡଳ ଏକ୍ସପ୍ରେସ, ୟଶଓ୍ବନ୍ତପୁର-ହାଓ୍ୱଡା ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନର ଦୁର୍ଘଟଣା ସମ୍ପର୍କରେ ସିବିଆଇ ଏକ ମାମଲା ରୁଜୁ କରିଛି। ଏହି ଦୁର୍ଘଟଣା ଶୁକ୍ରବାର (ଜୁନ୍ ୨) ରାତିରେ ଓଡିଶାର ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା।

ସିବିଆଇ ଟିମ୍ ମଙ୍ଗଳବାର ସିଗନାଲ୍ ରୁମ୍ ଏବଂ ରେଳ ଟ୍ରାକ୍ ଯାଞ୍ଚ କରିଛି। ବାହାନାଗା ବଜାର ଷ୍ଟେସନରେ ଡ୍ୟୁଟିରେ ଥିବା ରେଳ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ସିବିଆଇ। ସିବିଆଇ ଅଧିକାରୀଙ୍କ ସହ ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫରେନସିକ୍ ଟିମ୍ ସିଗନାଲ୍ ଯାଇ ସେଠାରେ ଦାୟିତ୍ବରେ ଥିବା କର୍ମଚାରୀଙ୍କ ସହ କଥା ହୋଇଥିଲେ । ଉପକରଣର ବ୍ୟବହାର ଏବଂ ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ବିଷୟରେ ସେମାନଙ୍କୁ ପଚାରି ବୁଝିଥିଲେ।

ସିବିଆଇ ଏହି ଦୁର୍ଘଟଣାର ଅପରାଧିକ‌ ଷଡ଼ଯନ୍ତ୍ର ଦୃଷ୍ଟିକୋଣରୁ ତଦନ୍ତ କରିବ । ରେଳବାଇ ଏହି ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ହୋଇଥିବା ତଥା ଇଣ୍ଟରଲକିଂ ସିଷ୍ଟମ ସହ ଟାମ୍ପରିଂ ହୋଇଥିବା ସନ୍ଦେହ ପ୍ରକାଶ କରିଥିଲା ଓ ଏଥିପାଇଁ ସିବିଆଇ ତଦନ୍ତ ସୁପାରିସ କରିଥିଲା ।

Comments are closed.