ସମ୍ବଲପୁର: ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସମ୍ବଲପୁର: ଶିଶୁ ଶ୍ରମିକ ଭାବେ କାମରେ ନିୟୋଜିତ କରୁଥିବା ବ୍ୟକ୍ତି ସାବଧାନ। ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ଅଟେ। ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଂକୁଳ କାମରେ ନିୟୋଜନକୁ ବାରଣ କରାଯାଇଛି। ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିବ। କେବଳ ଜୋରିମାନା ନୁହେଁ ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ(ବୃତ୍ତି ଓ ପ୍ରକ୍ରିୟା) ରେ ନିୟୋଜିତ କରୁଥିଲେ, ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏପରିକି ଉଭୟ ଜେଲଦଣ୍ଡ ଜୋରିମାନା ହୋଇପାରେ। ଏପରି ଭୁଲ ଦୁଇ ଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରିବ।

୧୪ ବର୍ଷରୁ କମ ଶିଶୁ କୁ କୌଣସି କାର୍ଯ୍ୟରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ। ଯଦି କୌଣସି ବ୍ୟକ୍ତି ୧୪ବର୍ଷରୁ କମ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଂକୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ କରିଛନ୍ତି ତେବେ ଅବିଳମ୍ବେ ଜିଲ୍ଲାର ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାନ୍ତୁ। ଏତତ ବ୍ୟତୀତ, ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନଂ ୧୫୫୩୬୮ ଏବଂ ଚାଇଲଡ଼ ଲାଇନ ନଂ ୧୦୯୮ କୁ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏପରି ସଚେତନ ବାର୍ତ୍ତା ନେଇ ବାହାରିଥିବା ସଚେତନତା ରଥକୁ ଜିଲ୍ଲାପାଳ ଅନନ୍ୟା ଦାସ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଛନ୍ତି।

ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ, ସହରାଞ୍ଚଳ ପରିକ୍ରମା କରିବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ଶ୍ରମ ଆୟୁକ୍ତ ସମ୍ବଲପୁର ଘାସିରାମ ଟୁଡୁ, ଜିଲ୍ଲା ଶ୍ରମ ଅଧିକାରୀ ସୁମିତ୍ରା ମାଝୀ, ଜିଲ୍ଲା ରେଡ କ୍ରସ ର ସମ୍ପାଦକ ଜୟ ଜର୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଆଇ.ସି.ଡି.ଏସ ପ୍ରୋଗ୍ରାମ ଅଫିସର ସବିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.