ରେକର୍ଡ ୨୩ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ସହ ନାଡାଲଙ୍କୁ ଟପିଲେ ଜୋକୋଭିକ୍ 

ପ୍ୟାରିସ: ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ସହ ନୋଭାକ ଜୋକୋଭିକ୍ ରେକର୍ଡ ୨୩ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିଛନ୍ତି । ଏଥିସହ ସର୍ବିୟାର ଏହି ସୁପରଷ୍ଟାର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଫେଲ୍ ନାଡାଲଙ୍କୁ ଟପି ଇତିହାସ ରଚିଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲରେ ନାଡାଲ ନରୱେର କାସପେର ରୁଡଙ୍କୁ ୭-୬(୭-୧), ୬-୩, ୭-୫ ସେଟରେ ହରାଇଥିଲେ । ଜୋକୋଭିକଙ୍କ ଏହାର ତୃତୀୟ ଫ୍ରେଞ୍ଚ୍ ଓପନ୍ ଟ୍ରଫି ଓ ଓଭରଅଲ୍ ୨୩ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ।

ଏହି ବିଜୟ ସହ ଜୋକୋଭିକ୍ ସର୍ବାଧିକ ପୁରୁଷ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ ବିଜୟରେ ନାଡାଲଙ୍କୁ ଟପି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଫ୍ରେଞ୍ଚ୍ ଓପନ୍ ପୂର୍ବରୁ ଉଭୟ ନାଡାଲ ଓ ଜୋକୋଭିକ୍ ୨୨-୨୨ ଟାଇଟଲ୍ ସହ ବରାବର ସ୍ଥିତିରେ ରହିଥିଲେ । ଆଘାତ କାରଣରୁ ନାଡାଲ ଏଥର ଫ୍ରେଞ୍ଚ୍ ଓପନରୁ ଓହରି ଯାଇଥିଲେ ।

ଫାଇନାଲରେ ପ୍ରଥମ ସେଟ୍ ହାରିବା ସତ୍ତ୍ୱେ ଜୋକୋଭିକ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍ ଜିତିଥିଲେ । ସମସ୍ତ ୪ଟି ଯାକ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଅତିକମରେ ୩ ଥର ଲେଖାଏଁ ଜିତିବାରେ ଜୋକୋଭିକ୍ ମଧ୍ୟ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି ।

ଓପନ ଯୁଗରେ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ ବିଜୟରେ ଜୋକୋଭିକ୍ ଆମେରିକୀୟ ମହିଳା ଖେଳାଳି ସେରେନା ୱିଲିୟମ୍ସଙ୍କ ସମକକ୍ଷ ହୋଇଛନ୍ତି । ସେ ଏବେ କେବଳ ମାର୍ଗାରେଟ୍ କୋର୍ଟ (୨୪ ଗ୍ରାଣ୍ଡସ୍ଲାମ୍‌)ଙ୍କ ଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି । ଆଗାମୀ ୱିମ୍ବଲଡନରେ ସେ ତାଙ୍କ ରେକର୍ଡର ସମକକ୍ଷ ହେବାକୁ ସୁଯୋଗ ପାଇବେ ।

Comments are closed.