ଟ୍ୱିଟର ପ୍ରତିଷ୍ଠାତାଙ୍କ ଚାଞ୍ଚଲ୍ୟକର ଅଭିଯୋଗ, ଚାଷୀ ଆନ୍ଦୋଳନ ବେଳେ ଟ୍ୱିଟରକୁ ବନ୍ଦ କରିବାକୁ ଧମକ ଦେଇଥିଲେ ଭାରତ ସରକାର

ନୂଆଦିଲ୍ଲୀ: ଟ୍ୱିଟର ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଜ୍ୟାକ୍ ଡର୍ସି ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ଭାରତରେ ଚାଷୀ ଆନ୍ଦୋଳନ ସମୟରେ ସରକାର ଟ୍ୱିଟରକୁ ବନ୍ଦ କରିଦେବାକୁ ଧମକ ଦେଇଥିଲେ ।

ସରକାରଙ୍କ ସମାଲୋଚକ ଥିବା ଅନେକ ଭାରତୀୟ ସାମ୍ବାଦିକଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ କରିବାକୁ ତାଙ୍କୁ ନିର୍ଦ୍ଦେଶ ଆସିଥିଲା ବୋଲି ୟୁଟ୍ୟୁବ୍ ଚ୍ୟାନେଲ ‘ବ୍ରେକିଂ ପଏଣ୍ଟ’କୁ ଦେଇଥିବା ଏକ ସାକ୍ଷାତକାରରେ ଡର୍ସି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି ।

ବିଶ୍ବର କ୍ଷମତାଶାଳୀ ନେତା ତାଙ୍କୁ କ’ଣ ସବୁ ଦାବି କରନ୍ତି ବୋଲି ପଚରାଯିବାରୁ ସେ ଭାରତର ନାଁ ନେଇଥିଲେ ।

ଡର୍ସି କହିଛନ୍ତି, ଭାରତ ଏପରି ଏକ ଦେଶ, ଯେଉଁଠାରୁ ଚାଷୀ ଆନ୍ଦୋଳନ ସମୟରେ ଅନେକ ଦାବି ଆସୁଥିଲା। ଚାଷୀ ଆନ୍ଦୋଳନ ସମର୍ଥନରେ କଣ୍ଟେଣ୍ଟ୍ ନ ହଟାଇଲେ ଟ୍ୱିଟର ବନ୍ଦ କରିଦେବୁ ବୋଲି ଭାରତ ସରକାର ଆମକୁ ଧମକ ଦେଇଥିଲେ । ସରକାରଙ୍କୁ ସମାଲୋଚନା କରୁଥିବା କିଛି ସାମ୍ବାଦିକଙ୍କ ଆକାଉଣ୍ଟ ବ୍ଲକ୍ କରିବାକୁ ମଧ୍ୟ ଆମକୁ କୁହାଯାଇଥିଲା । ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ ଭାରତ ଆମ ପାଇଁ ଏକ ବଡ଼ ବଜାର ଥିଲା । ଆମ କର୍ମଚାରୀମାନଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା | ଭାରତ ସରକାର କହିଥିଲେ, ଯଦି ତୁମେ ଆମ କଥା ନ ଶୁଣ, ତେବେ ଆମେ ତୁମର ଅଫିସ୍ ବନ୍ଦ କରିଦେବୁ | ଦେଶର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତରେ ଏପରି ଘଟୁଥିଲା ବୋଲି ଡର୍ସି କହିଛନ୍ତି ।

ଏପ୍ରିଲରେ ପ୍ରକାଶିତ ଟ୍ୱିଟରର ଟ୍ରାନ୍ସପରେନ୍ସି ରିପୋର୍ଟ ଅନୁଯାୟୀ, ଟ୍ୱିଟରରୁ ସବୁଠୁ ଅଧିକ କଣ୍ଟେଣ୍ଟ୍ ହଟାଇବାକୁ ଦାବି କରିଥିବା ଦେଶ ଗୁଡ଼ିକ ମଧ୍ୟରେ ଭାରତ ଆଗରେ ରହିଛି ।

Comments are closed.