ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ଆମେରିକାରେ ହେବ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଆମେରିକା ଗସ୍ତ ପୂର୍ବରୁ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ’: ଦ ମୋଦୀ କ୍ବେଶ୍ଚିନ୍’ ପୁଣି ଥରେ ଚର୍ଚ୍ଚାରେ ରହିଛି । ମୋଦୀଙ୍କ ଗସ୍ତକୁ ବିରୋଧ କରି ଆମେରିକାର ଦୁଇଟି ମାନବ ଅଧିକାର ସଂଗଠନ ଏହି ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ଘୋଷଣା କରିଛନ୍ତି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସ୍କ୍ରିନିଂ ଆମେରିକାର ୱାଶିଂଟନରେ କରାଯିବ। ଦୁଇ ଅଧ୍ୟାୟ ବିଶିଷ୍ଟ ଏହି ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜରାଟ ଦଙ୍ଗା ଘଟଣା ଉପରେ ନିର୍ମିତ । ଏହି ଡକ୍ୟୁମେଣ୍ଟାରୀରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ସନ୍ଦେହଜନକ ଭାବେ ଦର୍ଶାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୧ରେ ଆମେରିକା ଗସ୍ତ କରିବେ । ଏହାର ଠିକ୍ ପୂର୍ବ ଦିନ ଅର୍ଥାତ୍ ଜୁନ୍ ୨୦ରେ ଆମେରିକାର ଦୁଇ ମାନବ ଅଧିକାର ସଂଗଠନ ହ୍ୟୁମାନ ରାଇଟ୍ସ ୱାଚ୍ ଓ ଆମନେଷ୍ଟି ଇଣ୍ଟରନ୍ୟାସନାଲ ବିବିସି ଡକ୍ୟୁମେଣ୍ଟାରୀର ଏକ ଘରୋଇ ସ୍କ୍ରିନିଂ ନେଇ ଘୋଷଣା କରିଛି। ଏହି ସ୍କ୍ରିନିଂ ପାଇଁ ଆମେରିକାର ଆଇନଜୀବୀ, ସାମ୍ବାଦିକ ଏବଂ ରାଜନୈତିକ ସମୀକ୍ଷକଙ୍କୁ ନିମନ୍ତ୍ରଣ କରାଯାଇଛି।

ଭାରତରେ ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ୍ ନିଷ୍ପତ୍ତି ବିରୋଧରେ ଏହି ସ୍କ୍ରିନିଂ କରାଯିବ ବୋଲି କୁହାଯାଇଛି ।

Comments are closed.