ଯୌନ ନିର୍ଯାତନା ମାମଲାରେ ବ୍ରିଜ ଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଦିଲ୍ଲୀ ପୋଲିସ, ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ରଦ୍ଦ କରିବାକୁ ସୁପାରିସ

ନୂଆଦିଲ୍ଲୀ: ନାବାଳିକା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀ ପୋଲିସ ଜାତୀୟ କୁସ୍ତି ସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ କ୍ଲିନ୍ ଚିଟ୍ ଦେଇଛି। ୭ ଜଣ ମହିଳା କୁସ୍ତିଯୋଦ୍ଧା ରୁଜୁ କରିଥିବା ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ ପୋଲିସ ଗୁରୁବାର ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।

୬ ପ୍ରାପ୍ତ ବୟସ୍କା ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ ରୁଜୁ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ନାବାଳିକା ରେସଲରଙ୍କ ଅଭିଯୋଗ ଆଧାରରେ ପକ୍ସୋ ଆଇନ ଅନୁଯାୟୀ ଦାୟର ମାମଲାରେ ପଟିଆଲା କୋର୍ଟରେ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ନାବାଳିକା କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କୁ କ୍ଲିନ୍ ଚିଟ୍ ଦେଇଛି।

ଦିଲ୍ଲୀ ପୋଲିସ ଏହାର ୫୫୦ ପୃଷ୍ଠାର ରିପୋର୍ଟରେ କହିଛି ଯେ ପକ୍ସୋ ଅଭିଯୋଗ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ। ଏଭଳି ପରିସ୍ଥିତିରେ ପୋଲିସ ପକ୍ସୋ ଆଇନ ଅଧୀନରେ ବ୍ରିଜ ଭୂଷଣଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର କରିବାକୁ କୋର୍ଟରେ ସୁପାରିସ କରିଛି। ଏହାଛଡ଼ା ପକ୍ସୋ ମାମଲାର ତଦନ୍ତ ଶେଷ ହେବା ପରେ ଏହି ମାମଲା ରଦ୍ଦ କରିବାକୁ ସୁପାରିସ କରିଛି ପୋଲିସ । ପୀଡିତାଙ୍କ ବାପା ଏବଂ ଖୋଦ୍ ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସ ଏହି ରିପୋର୍ଟ କୋର୍ଟରେ ଦାଖଲ କରିଛି ।

ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଦାୟର କରିଥିବା ନାବାଳିକା କୁସ୍ତିଯୋଦ୍ଧା ତାଙ୍କ ବୟାନ ବଦଳାଇଥିଲେ । ପ୍ରଥମେ ନାବାଳିକା କୁସ୍ତିଯୋଦ୍ଧା ଅଭିଯୋଗ କରିଥିଲେ ଯେ ବ୍ରିଜ ଭୂଷଣ ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି । କିନ୍ତୁ ପରେ ସେ ନିଜ ବୟାନ ବଦଳାଇ କୁସ୍ତି ସଂଘର ପୂର୍ବତନ ସଭାପତିଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ ।

ନାବାଳିକା ଜଣକ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପ୍ରଥମ ବୟାନରେ ଯୌନ ଶୋଷଣ ନେଇ ଅଭିଯୋଗ କରିଥିଲେ । ଦ୍ୱିତୀୟ ବୟାନରେ ନାବାଳିକା ଯୌନ ନିର୍ଯାତନା ଅଭିଯୋଗକୁ ପ୍ରତ୍ୟାହାର କରି କହିଥିଲେ ଯେ ମୁଁ ବହୁତ ପରିଶ୍ରମ କରିଥିବା ସତ୍ତ୍ୱେ ମୋତେ ମନୋନୀତ କରାଯାଇନଥିଲା । ମୁଁ ନିରାଶ ଥିଲି । ତେଣୁ ପ୍ରତିଶୋଧ ପରାୟଣ ହୋଇ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଦାୟର କରିଥିଲି।

Comments are closed.