ସମ୍ବଲପୁର: ଆଉ ନାହାନ୍ତି ପାନବାଲା ବାବୁ। ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ ସମ୍ବଲପୁରୀ ଗୀତ ଏ ପାନ୍ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ଅନିଲ ହରିପାଲ(୫୮)ଙ୍କ ଗୁରୁବାର ପରଲୋକ ଘଟିଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବଲାଙ୍ଗୀର ଆଗଲପୁରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।
୧୯୯୦ ଡିସେମ୍ବର ୨୦ତାରିଖରେ ରିଲିଜ୍ ହୋଇଥିଲା ଚର୍ଚ୍ଚିତ ସମ୍ବଲପୁରୀ ଗୀତ ଏ ପାନ୍ବାଲା ବାବୁ। ରାତାରାତି ଏହି ଗୀତ ଓଡ଼ିଶାର ପୁରପଲ୍ଲୀ ସମେତ ପଡୋଶୀ ମଧ୍ୟପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗରେ ଲୋକପ୍ରିୟତାର ଶୀର୍ଷକୁ ଛୁଇଁଥିଲା। ଏହି ଗୀତରେ ସେ ସମ୍ବଲପୁରୀ ଶବ୍ଦ ସହ ବିହାରୀ, ଛତିଶଗଡି ଏବଂ ବଙ୍ଗଳା ଶବ୍ଦର ପ୍ରୟୋଗ ଗୀତକୁ ଭିନ୍ନ ସ୍ବାଦର କରି ଗଢ଼ି ତୋଳିଥିଲା। ଏହି ଗୀତର ଆବେଦନ ଏବେ ପ୍ରବଳ ଥିଲା ଯେ, ଛତିଶଗଡି, ବିହାରୀ, ବଙ୍ଗଳ ସମେତ ଓଡ଼ିଆ ଭାଷାରେ ମଧ୍ୟ ଏହି ଗୀତ ରେକର୍ଡିଂ ହୋଇ ପ୍ରଚାରିତ ହୋଇଥିଲା। ଏ ପାନ୍ବାଲା ବାବୁ ଗୀତର ରଚୟିତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ଥିଲେ ଅନିଲ ହରିପାଲ।
Comments are closed.