‘ବିପର୍ଯ୍ୟୟ’ ମଧ୍ୟରେ ଆନନ୍ଦ, ବାତ୍ୟା ବେଳେ ଗୁଜରାଟରେ ଜନ୍ମ ହେଲେ ୭୦୭ ପିଲା

ଅହମଦାବାଦ: ବାତ୍ୟା ‘ବିପର୍ଯ୍ୟୟ’ ଗୁରବାର ରାତିରେ ଗୁଜରାଟରେ ଧ୍ଵଂସର ତାଣ୍ଡବ ରଚୁଥିବା ବେଳେ ଅନେକ ପରିବାରରେ ଖେଳିଯାଇଥିଲା ଆନନ୍ଦର ଲହରୀ । ଏହି ଭୀଷଣ ବାତ୍ୟା ବେଳେ ଜନ୍ମ ନେଇଥିଲେ ୭୦୭ ପିଲା ।

ରେଡ୍ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକରୁ ସ୍ଥାନାନ୍ତର ପ୍ରାୟ ଏକ ଲକ୍ଷ ଲୋକଙ୍କ ମଧ୍ୟରେ ଅନେକ ଅନ୍ତଃସତ୍ତ୍ବା ମହିଳା ଥିଲେ ।

‘ବିପର୍ଯ୍ୟୟ’ ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରୁ ୧,୧୭୧ ଅନ୍ତଃସତ୍ତ୍ବା ମହିଳାଙ୍କ ମଧ୍ୟରୁ ପ୍ରଶାସନ ପ୍ରାୟ ୧,୧୫୨ଜଣଙ୍କୁ ସ୍ଥାନାନ୍ତର କରିଥିଲା। ବାତ୍ୟା ଦିନ ସେମାନଙ୍କ ମଧ୍ୟରୁ ୭୦୭ଜଣ ମହିଳାଙ୍କ ସନ୍ତାନ ଜନ୍ମ କରିଥିଲେ ବୋଲି କୁହାଯାଇଛି ।

କଚ୍ଛ ଜିଲ୍ଲାରୁ ସବୁଠୁ ଅଧିକ ସଂଖ୍ୟକ ଅନ୍ତଃସତ୍ତ୍ବା ମହିଳା ସ୍ଥାନାନ୍ତରିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୪୮ଜଣ ସନ୍ତାନ ପ୍ରସବ କରିଥିବା ବେଳେ ରାଜକୋଟ ଜିଲ୍ଲାର ୧୦୦ ଓ ଦେବଭୂମି ଦ୍ବାରକାର ୯୩ଜଣ ଅନ୍ତଃସତ୍ତ୍ବା ମହିଳା ବାତ୍ୟା ସମୟରେ ସନ୍ତାନ ପ୍ରସବ କରିଥିଲେ ।

ବାତ୍ୟା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବଡ଼ ବଡ଼ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ିଥିବା ବେଳେ ବହୁ ଘର ଭାଙ୍ଗି ଯାଇଥିଲା । ବିପର୍ଯ୍ୟୟ ଯୋଗୁଁ ଅତିକମରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

Comments are closed.