୨୬୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ସହୃଦୟତାର ସହ ଲୋକଙ୍କ ସେବା ପାଇଁ ଆହ୍ୱାନ

ଭୁବନେଶ୍ୱର – ସରକାରୀ ଅଧିକାରୀମାନେ ସହୃଦୟତାର ସହ ଲୋକଙ୍କ ସେବା କରିବା ଦରକାର । ସେବାରୁ ଯେପରି କେହି ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଓଡିଶାର ବିକାଶ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ୨୦୩୬ରେ ଓଡିଶାକୁ ୧୦୦ ବର୍ଷ ପୂରୁ ଥିବାରୁ ସମସ୍ତଙ୍କୁ ଗୁରୁଦାୟିତ୍ବ ନେବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ମନୋନୀତ ୨୬୯ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ,ରାଜ୍ୟରେ ଏବେ ରୂପାନ୍ତରଣ ପ୍ରକ୍ରିୟା ଜାରି ରହିଛି । ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁଛି ଏହି ରୂପାନ୍ତରଣ । ଫାଇଭ-ଟି ଜରିଆରେ ସମୟ, ସ୍ବଚ୍ଛତାର ମନ୍ତ୍ରକୁ ଗୁରୁତ୍ବ ଦିଆଯାଉଛି । ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ଗଠନ କରିବାକୁ ଲକ୍ଷ୍ୟ ରହିଛି । ରୂପାନ୍ତରଣର ଯାତ୍ରା ଜରିଆରେ ଏହି ଲକ୍ଷ୍ୟ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ତ୍ୟାଗ ଅପୂରଣୀୟ । ଲୋକଙ୍କ ସେବା କ୍ଷେତ୍ରରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସ୍ବତନ୍ତ୍ର ଭୂମିକା ରହିଛି । ରାଜ୍ୟରେ ଭିତ୍ତିଭୂମି ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି । ନିଯୁକ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ ନବନିଯୁକ୍ତ କର୍ମଚାରୀ ।
ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ । ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୧୬୦ ଜଣ ପ୍ରଧାନଶିକ୍ଷକ ଓ ବ୍ଲକ୍ ଶିକ୍ଷା ଅଧିକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ୯୦ ଜଣ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗରେ ୧୯ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ମିଳିଥିଲା ।

Comments are closed.