ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ, ଦୁଇ ଦିନ ମଧ୍ୟରେ ମୌସୁମୀ ପ୍ରବେଶ ସମ୍ଭାବନା

ଭୁବନେଶ୍ୱର – ବେଶ୍ କିଛି ଦିନର ଅସହ୍ୟ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ତାପମାତ୍ରା ହ୍ରାସ ପାଇଥିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଉଭୟ ପଶ୍ଚିମ ଓ ଉପକୂଳରେ ଦିନ ତାପମାତ୍ରା ଅପେକ୍ଷାକୃତ ହ୍ରାସ ପାଇଛି । ପଶ୍ଚିମ ଓଡ଼ିଶାରେ ଆଜି କେବଳ ସୁନ୍ଦରଗଡ଼ରେ ହିଁ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଉପରେ ଥିଲା । ସୁନ୍ଦରଗଡ଼ ହିଁ ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ପଛକୁ ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି ଝାରସୁଗୁଡ଼ା। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୧ ଦଶମିକ ୬ ଡିଗ୍ରୀ ସେଲସିୟସ ରହିଥିଲା । ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ତାପମାତ୍ରା ହ୍ରାସ ପାଇଥିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏଠାରେ ଦିନ ତାପମାତ୍ରା ୩୬ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଏଣେ ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.