ଜିଲ୍ଲାସ୍ତରୀୟ କ୍ରେତା ଓ ବିକ୍ରେତା ସମ୍ମିଳନୀ , “ଶର୍ବାଣୀ” ବ୍ରାଣ୍ଡ ଉନ୍ମୋଚନ କଲେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ

ବରଗଡ଼: ବରଗଡ଼ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଉପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ କ୍ରେତା ଓ ବିକ୍ରେତା ସମ୍ମିଳନୀ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧ‌ିକାରୀ ଆଦିତ୍ୟ ଗୋୟଲ ମଞ୍ଚାସୀନ ଥିଲେ ।

ଏହି ଅବସରରେ ବରଗଡ଼ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟ ଯଥା କଳା ଚାଉଳ, ଢିଙ୍କି କୁଟା ଚାଉଳ, ଡାଲି ଜାତୀୟ ଦ୍ରବ୍ୟ, ମିଲେଟ, ତୈଳ ଜାତୀୟ ଦ୍ରବ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ଆଦି ଦ୍ରବ୍ୟର “ଶର୍ବାଣୀ” ବ୍ରାଣ୍ଡ ନାମକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହା ଦ୍ଵାରା ଜିଲ୍ଲାର ଉତ୍ପାଦିତ ଦ୍ରବ୍ୟମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ବିକ୍ରି କରାଯାଇ ପାରିବ ଯାହା ସେମାନଙ୍କ ଆର୍ଥିକ ମାନଦଣ୍ତ ଉନ୍ନତ କରିବାରେ ସହାୟକ ହେବ । ଏହି ବୈଠକରେ ଭାରତର ବିଭିନ୍ନ ରାଜ୍ୟରୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରେତା ଓ ବିକ୍ରେତାମାନେ ଯୋଗ ଦେଇଥ‌ିବା ବେଳେ ବରଗଡ଼ ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ ଅନୁଷ୍ଠାନର ମୁଖ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ପ୍ରଶାସନ ଓ ସେମାନଙ୍କ ମଧ୍ୟରେ କ୍ରୟ ବିକ୍ରୟର ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ସହିତ ଜିଲ୍ଲାର ବିଭିନ୍ନ ଉତ୍ପାଦିତ ଦ୍ରବ୍ୟର ବଜାର ଚାହିଁବା ଉପଲବ୍ଧ କରାଇବା ପାଇଁ ମତ ଉପସ୍ଥାପନ କରିଥିଲେ । ଏହାଦ୍ବାରା ଆଗାମୀ ଦିନରେ ବରଗଡ଼ ଜିଲ୍ଲାର କୋଣ ଅନୁକୋଣରେ ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରୟ କରାଯାଇ ପାରିବ ।

ବୈଠକରେ ଓରମାସ ଉପ- ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜଗୋପାଳ ଦାଶ ସଭା ସଂଯୋଜନା କରିଥିବା ବେଳେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମାଁ, ଉତ୍ପାଦକ ଗୋଷ୍ଠୀର ସଦସ୍ୟା ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.