ଥମୁନି ମଣିପୁର ହିଂସା, ସର୍ବଦଳୀୟ ବୈଠକ ଡାକିଲେ ଗୃହମନ୍ତ୍ରୀ ଅମିତ ଶାହା; ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ: ମଣିପୁରରେ ଜାତିଗତ ହିଂସା ଥମିବାର ନାଁ ଧରୁନି । ସରକାରଙ୍କ ଉଦ୍ୟମ ସତ୍ତ୍ବେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ମଣିପୁର ହିଂସାରେ ଏଯାବତ୍ ୧୧୦ ଜଣଙ୍କ ଜୀବନ ଯାଇଛି ଏବଂ ବହୁ ଲୋକ ବାସହୀନ ହୋଇଛନ୍ତି। ମଣିପୁର ହିଂସା ଉପରେ ଆଲୋଚନା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ୨୪ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନୂଆଦିଲ୍ଲୀରେ ଶାହାଙ୍କୁ ଭେଟିବା ପରେ ମଣିପୁର ସ୍ଥିତି ଉପରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ହିମନ୍ତ ବିଶ୍ବା ସର୍ମା ମଧ୍ୟ ଏନଡିଏ (ନର୍ଥଇଷ୍ଟ ଡୋମୋକ୍ରାଟିକ ଆଲାଇନ୍ସ)ର ସଂଯୋଜକ ଅଛନ୍ତି। ସେ ଜୁନ୍ ୧୦ରେ ଇମ୍ଫାଲ ଗସ୍ତ କରି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଏବଂ ବହୁ ରାଜନୈତିକ ନେତାଙ୍କୁ ଭେଟିଥିଲେ।

ହିଂସାର ନିଆଁରେ ଜଳୁଥିବା ମଣିପୁରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ସୋନିଆ ଗାନ୍ଧୀ କହିଛନ୍ତି ଯ ମଣିପୁର ହିଂସା ହୃଦୟ ବିଦାରକ। ଏ‌ହା ଦେଶର ଅନ୍ତରାତ୍ମାକୁ ଗଭୀର ଆଘାତ ଦେଇଛି । ଅମିତ ଶାହା ଡାକିଥିବା ସର୍ବଦଳୀୟ ବୈଠକର ଦିନକ ପୂର୍ବରୁ ଜୁନ୍ ୨୩ରେ ପାଟନାରେ ବିରୋଧୀ ଦଳ ଏକାଠି ହେବାକୁ ଯାଉଛନ୍ତି। ବିରୋଧୀଙ୍କ ଏହି ବୈଠକରେ ବିଜେପିକୁ ଆଗାମୀ ଲୋକସଭା ନିର୍ବାଚନରେ କିପରି ପରାସ୍ତ କରାଯିବ ସେନେଇ ରଣନୀତି ସ୍ଥିର ହେବ ।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ୨୪ରେ ଡାକିଥିବା ଏହି ବୈଠକ ପାଇଁ ସମସ୍ତ ବିରୋଧୀ ଦଳକୁ ଆମନ୍ତ୍ରଣ କରିଛନ୍ତି। ସଂସଦ ଲାଇବ୍ରେରୀ ବିଲଡିଂରେ ଏହି ବୈଠକ ହେବା ସମ୍ଭାବନା ରହିଛି। ଗୃହମନ୍ତ୍ରୀ ବିରୋଧୀଦଳର ନେତା ଏବଂ ସହଯୋଗୀମାନଙ୍କୁ ସାମ୍ପ୍ରତିକ ପରିସ୍ଥିତି ଏବଂ ପଦକ୍ଷେପ ବିଷୟରେ ସୂଚନା ଦେଇପାରନ୍ତି ଏବଂ ଏହା ଉପରେ ଆଲୋଚନା ହେବ ବୋଲି ଅଧିକାରୀ କହିଛନ୍ତି।

Comments are closed.