ରଥଯାତ୍ରାରେ ୧୦୮ ଗଛକୁ ପୋଷ୍ୟ ଗ୍ରହଣ କଲେ ଏନ୍ଆରଆଇ କମ୍ପ୍ୟୁଟର୍ ଇଞ୍ଜିନିୟର୍

ବ୍ରହ୍ମପୁର: ଓଡ଼ିଆ ଜନଜୀବନର ମହାନ ପର୍ବ, ଭାବର ଠାକୁର ତଥା ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ମହନୀୟ ସେବା କାର୍ଯ୍ୟ ହାତକୁ ନେଇଛନ୍ତି ଏନ୍ଆରଆଇ (ପ୍ରବାସୀ) ଭାରତୀୟ ବିନୟ ମହାନ୍ତି। ପେସାରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟର୍ ତଥା ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟରତ ବିନୟଙ୍କ ପ୍ରକୃତି ପ୍ରେମ ବେଶ୍ ଗଭୀର। ସମ୍ପ୍ରତି ରଥଯାତ୍ରା ପାଇଁ ଛୁଟିରେ ନିଜ ଘର ବ୍ରହ୍ମପୁରର କାଳୁ ପାତ୍ର ସାହିକୁ ଆସିଛନ୍ତି ବିନୟ। ଆଉ ଘୋଷ ଯାତ୍ରା ଅବସରରେ ସେ ଏକ ମହତ୍ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ୧୦୮ଟି ନିମ, ବଟ, ଅଶ୍ୱତ୍ଥ ଗଛକୁ ନିଜ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ବିନୟ ମହାନ୍ତି।

ପରିବେଶପ୍ରେମୀ ବିନୟ ନିଜ ଚାକିରୀରୁ ଛୁଟିରେ ଆସି ନିଜ ଜନ୍ମଭୂମିକୁ ସବୁଜ ସୁନ୍ଦର କରିବାକୁ ଦୀର୍ଘଦିନ ଧରି ମନସ୍ଥ କରିଥିଲେ। ଇତି ମଧ୍ୟରେ ସେ ସାମାଜିକ ଗଣମାଧ୍ୟମରୁ ବ୍ରହ୍ମପୁର ସବୁଜ ଵାହିନୀ ସମ୍ପର୍କରେ ଅବଗତ ହୋଇଥିଲେ।‌ ସଙ୍ଗଠନର ସମାଜ ମଙ୍ଗଳ କାର୍ଯ୍ୟରେ ସହଯୋଗୀ ହେବାକୁ ମନସ୍ଥ କରିଥିଲେ ବିନୟ। ବ୍ରହ୍ମପୁର ସବୁଜ ଵାହିନୀ ସଭାପତି ଶିବରାମ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିଥିଲେ। ସଙ୍ଗଠନ ଦ୍ବାରା ଯେକୌଣସି ବ୍ୟକ୍ତିଙ୍କ ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା ନିଜର ଖୁସିର ଦିନକୁ ସ୍ମରଣୀୟ କରିବା ସକାଶେ ଚାରାରୋପଣ କିମ୍ବା ଗଛକୁ ପୋଷ୍ୟ ଭାବେ ଗ୍ରହଣ କରି ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବା ପ୍ରକ୍ରିୟାକୁ ଆପଣାଯାଉଛି। ସଙ୍ଗଠନର ଏହି ଚିନ୍ତାଧାରାରେ ପ୍ରଭାବିତ ହୋଇ ବିନୟ ମହାନ୍ତି କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ସୁକୁଣ୍ଡା ଗ୍ରାମସ୍ଥିତ ହଜ ଚତୁଃପାର୍ଶ୍ଵରେ ପୋତା ଯାଇଥିବା ୧୦୮ଟି ନିମ, ବଟ ଓ ଅଶ୍ୱତ୍ଥ ଗଛକୁ ନିଜ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି।

ବିନୟ କହିଛନ୍ତି ଯେ ରଥଯାତ୍ରା ସମୟରେ ଏଭଳି ମହତ୍ କାର୍ଯ୍ୟ କରି ମୁଁ ଅତ୍ୟନ୍ତ ଖୁସି। ଗଛଟିଏ କାଟିଲେ ତାହାର କୁପ୍ରଭାବ ସମଗ୍ର ପୃଥିବୀ ଓ ଜୀବଜଗତ ଉପରେ ପଡ଼େ। ତେଣୁ ସମସ୍ତଙ୍କ ଦାୟିତ୍ବ ଅନୁଯାୟୀ ଗଛ ଲଗାଇ ଆଗାମୀ ପିଢ଼ି ସକାଶେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଉଚିତ।

Comments are closed.