ମା’ ତାରାତାରିଣୀ ପୀଠ ସମ୍ମୁଖ ଋଷିକୁଲ୍ୟା ନଦୀର ହେବ ଉନ୍ନତୀକରଣ

ଛତ୍ରପୁର: ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ଦ୍ଵାରା ଚଳିତ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲା ମା’ ତାରାତାରିଣୀ ପୀଠ ସମ୍ମୁଖ ଋଷିକୁଲ୍ୟା ନଦୀ ପଠାର ଉନ୍ନତୀକରଣ ସକାଶେ ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅନୁରୋଧ ପ୍ରକାରେ ରାଜ୍ୟ ସରକାର ଏହି ପ୍ରକଳ୍ପ ନିମନ୍ତେ ୧୫ କୋଟି ୬୨ ଲକ୍ଷ ୯ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଅନୁଦାନ ପାଣ୍ଠି ଐତିହ୍ୟ ଓ ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳର ବିକାଶ ସକାଶେ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ମା’ ତାରାତାରିଣୀ ପୀଠର ସର୍ବାଙ୍ଗୀନ ଉନ୍ନତି ହେବା ସମେତ ପର୍ଯ୍ୟଟକଙ୍କ ଯାନବାହନ ପାର୍କିଂ ବ୍ୟବସ୍ଥା, ବଗିଚାରେ ଭ୍ରମଣ ନିମନ୍ତେ ମନୋରଞ୍ଜନର ମାଧ୍ୟମ ସୃଷ୍ଟି ହେବ। ସ୍ଥାନୀୟ ସ୍ଥାପତ୍ୟର ସୁରକ୍ଷା ବ୍ୟବସ୍ଥା ସହିତ ପାରିପାର୍ଶ୍ବିକ ବିକାଶ ଘଟି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ବୃଦ୍ଧି ପାଇବ। ମଞ୍ଜୁର ଅନୁଦାନ ଏହି ଅଞ୍ଚଳର ଐତିହ୍ୟ ଓ ସ୍ମାରକୀ ଏବଂ ପର୍ଯ୍ୟଟନର ବିକାଶ, ଜନସାଧାରଣଙ୍କ ସୁବିଧା, ପକ୍କା ରାସ୍ତା, ମୂର୍ତ୍ତି ଉଦ୍ୟାନ, ଜମି କ୍ୟାପିଙ୍ଗ ଓ ବୃକ୍ଷରୋପଣ, ବିଦ୍ୟୁତୀକରଣ ଏବଂ ବାହ୍ୟ ଆଲୋକୀକରଣ, ମାର୍ଗଦର୍ଶିକା ଚିହ୍ନ ଏବଂ ଡଷ୍ଟବିନ୍ ସ୍ଥାପନ ଆଦି ନିମନ୍ତେ ଖର୍ଚ୍ଚ ହେବ। ଏହି ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରିଡ଼ା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉକି ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରାତାରିଣୀ ମନ୍ଦିରର ରୂପାନ୍ତରଣ ତଥା ନବକଳେବର ହୋଇଥିବା ନୂତନ ମନ୍ଦିର ଲୋକାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୫-ଟି ସଚିବ ତଥା ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉପସ୍ଥିତିରେ ତାରାତାରିଣୀ ପୀଠକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ରୂପ ଦେବାକୁ ମନ୍ଦିର ପାଦଦେଶରେ ବୋହି ଯାଉଥିବା ଋଷିକୁଲ୍ୟା ନଦୀତଟର ଆକର୍ଷଣୀୟ ରୂପାନ୍ତରଣ କରିବାକୁ ଘୋଷଣା କରାଯାଇଥିଲା। ଏବେ ତାହାକୁ କାର୍ଯ୍ୟକାରୀ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଶୀଘ୍ର ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଆରାଧ୍ୟା ମା’ ତାରାତାରିଣୀଙ୍କ ପୀଠ ଓ ନିକଟସ୍ଥ ଋଷିକୁଲ୍ୟା ନଦୀତଟର ସୌନ୍ଦର୍ଯ୍ୟକରଣ ଦେଶବିଦେଶର ଲକ୍ଷ ଲକ୍ଷ ଭକ୍ତ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ଅଧିକ ସମୃଦ୍ଧ କରିବ।

Comments are closed.