ମହାବୈଠକ ପୂର୍ବରୁ ବିରୋଧୀ ଏକତାରେ ଫାଟ ! ଦିଲ୍ଲୀ ଅଧ୍ୟାଦେଶ ନେଇ କଂଗ୍ରେସକୁ ଆପର ଚେତାବନୀ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ପାଟନାରେ ମହାବୈଠକର ଦିନକ ପୂର୍ବରୁ ବିରୋଧୀ ଏକତାରେ ଫାଟ ସୃଷ୍ଟି ହୋଇଛି । ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରର ଅଧ୍ୟାଦେଶ ନେଇ କଂଗ୍ରେସକୁ ଚେତାବନୀ ଦେଇଛି ଆମ୍ ଆଦମୀ ପାର୍ଟି । ଏହି ଅଧ୍ୟାଦେଶ ବିରୋଧରେ କଂଗ୍ରେସର ସମର୍ଥନ ନ ମିଳିଲେ ଆସନ୍ତାକାଲି ପାଟନାରେ ବିରୋଧୀଙ୍କ ବୈଠକ ବର୍ଜନ କରିବାକୁ ଚେତାବନୀ ଦେଇଛି ଆପ୍ ।

ଆମ୍ ଆଦମୀ ପାର୍ଟି ଚାହୁଁଛି ଯେ ଆସନ୍ତାକାଲି (ଜୁନ୍ ୨୩) ହେବାକୁ ଥିବା ବୈଠକରେ ଦିଲ୍ଲୀ ପାଇଁ ସେବା କ୍ଷେତ୍ରରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଉପରେ ପ୍ରଥମେ ଆଲୋଚନା ହେବା ଉଚିତ । ଏହି ଅଧ୍ୟାଦେଶ ଉପରେ ସମସ୍ତ ଦଳର ସମର୍ଥନ ଚାହୁଁଛି ଆପ୍। ତେବେ କଂଗ୍ରେସ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ।

ଏ ପ୍ରସଙ୍ଗରେ ଦିଲ୍ଲୀ କଂଗ୍ରେସର ନେତାମାନେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନେ ଏହି ଅଧ୍ୟାଦେଶ ବିରୋଧ କରୁ ନାହଁନ୍ତି ବୋଲି କହିଛନ୍ତି । କେଜ୍ରିୱାଲ ମଧ୍ୟ ଏହି ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଉଭୟ ନେତା ସମୟ ଦେଇ ନାହାଁନ୍ତି ।

କେଜ୍ରିୱାଲ ଗତ କିଛି ଦିନ ଧରି ଲଗାତାର କହିଆସିଛନ୍ତି ଯେ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଆପକୁ ସମର୍ଥନ କରିବା ଉଚିତ ନଚେତ୍ ଅନ୍ୟ ରାଜ୍ୟରେ ମଧ୍ୟ ଦିଲ୍ଲୀ ଭଳି ପରିସ୍ଥିତି ଉପୁଜିବ। ଏଥିପାଇଁ କେଜ୍ରିୱାଲ ବିରୋଧୀ ଦଳମାନଙ୍କୁ ଏକ ଚିଠି ଲେଖି ଆପକୁ ସମର୍ଥନ କରିବା ପାଇଁ କଂଗ୍ରେସରୁ କହିବା ପାଇଁ ଅପିଲ କରିଛନ୍ତି ।

Comments are closed.