ଭାରତରେ ତିଆରି ହେବ ଜେଟ୍ ଇଞ୍ଜିନ୍, ଜେନେରାଲ୍ ଇଲେକ୍ଟ୍ରିକ୍ ଓ ହାଲ୍ ମଧ୍ୟରେ ଐତିହାସିକ ଚୁକ୍ତି

ଓ୍ୱାଶିଂଟନ: ଚାରି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଜେନେରାଲ୍ ଇଲେକ୍ଟ୍ରିକ୍ (ଜିଇ) ଅଧ୍ୟକ୍ଷ ଏଚ୍ ଲରେନ୍ସ କୁଲପ ଜୁନିୟରଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ଉଭୟ ଦେଶ ମଧ୍ୟରେ ଜେଟ୍ ଇଞ୍ଜିନ୍ କ୍ଷେତ୍ରରେ ଏକ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

ଆମେରିକୀୟ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ୍ (ଜିଇ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍) ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁଯାୟୀ ଜେଇ ଏରୋସ୍ପସ୍ ଏବଂ ଏଚ୍ଏଏଲ୍ ମିଳିତ ଭାବେ ଭାରତୀୟ ବାୟୁସେନା ପାଇଁ ଜେଟ୍ ଇଞ୍ଜିନ ତିଆରି କରିବେ ।

ଏହି ଚୁକ୍ତି ସମ୍ପର୍କିତ ଏମ୍ଓୟୁରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ମଧ୍ୟରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ । ଏହି ଚୁକ୍ତି ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ମଜବୁତ ହେବ।

ଉଲ୍ଲେଖଯୋଗ୍ୟ ଯେ ଏହି ଚୁକ୍ତି ଭାରତୀୟ ବାୟୁସେନାର ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ଏମକେ୨ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ।

ଚୁକ୍ତି ଅନୁଯାୟୀ ଜେଇର ଏଫ୍୪୧୪ ଇଞ୍ଜିନ୍ ନିର୍ମାଣ ପାଇଁ ଭାରତକୁ ଲାଇସେନ୍ସ ମିଳିଛି। କେବଳ ୮ଟି ଦେଶ ପାଖରେ ଏଫ୍୪୧୪ ଇଞ୍ଜିନ୍ ବ୍ୟବହାର କରିବାକୁ ଲାଇସେନ୍ସ ଅଛି | ଏବେ ଭାରତ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି ।

Comments are closed.