ପୁଟିନଙ୍କ ବିରୋଧରେ ରୁଷର ଘରୋଇ ସେନାର ବିଦ୍ରୋହ, ପ୍ରମୁଖ ସରକାରୀ କୋଠା ଘେରାଉ

ମସ୍କୋ: ୟୁକ୍ରେନ ବିରୋଧରେ ଯୁଦ୍ଧ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଦ୍ରୋହର ସମ୍ମଖୀନ ହୋଇଛନ୍ତି । ୟୁକ୍ରେନ ବିରୋଧରେ ଯୁଦ୍ଧ ପାଇଁ ପୁଟିନଙ୍କୁ ସହାୟତା କରୁଥିବା ରୁଷର ଘରୋଇ ସେନା ‘ୱାଗନର୍ ଗ୍ରୁପ୍’ ହିଁ ତାଙ୍କ ବିରୋଧରେ ବିଦ୍ରୋହ କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୱାଗନର୍ ଗ୍ରୁପ୍ ନିଜ ସୈନ୍ୟ ବାହିନୀ ସହ ରୋସ୍ତୋଭରେ ଥିବା ରୁଷର ସେନା ମୁଖ୍ୟାଳୟ ଘେରାଉ କରିଛି । ୱାଗନର୍ ଗ୍ରୁପ୍‌ର ମୁଖ୍ୟ ୟେଭଗେନି ପ୍ରିଗୋଝିନ୍ ରୁଷର ସୈନିକମାନଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ପ୍ରିଗୋଝିନ୍ କହିଛନ୍ତି ଯେ ତାଙ୍କର ୨୫,୦୦୦ ସୈନ୍ୟବାହିନୀ ‘ମରିବାକୁ ପ୍ରସ୍ତୁତ’। ପ୍ରିଗୋଜିନ୍ କହିଛନ୍ତି, ‘ଆମର ଲକ୍ଷ୍ୟ ଅଛି, ଆମେ ସମସ୍ତେ ମରିବାକୁ ପ୍ରସ୍ତୁତ। କାରଣ ଆମେ ଆମର ମାତୃଭୂମି ପାଇଁ ମରୁଛୁ, ଆମେ ରୁଷୀୟ ଲୋକଙ୍କ ପାଇଁ ମରୁଛୁ, ଯେଉଁମାନେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି ସେମାନଙ୍କଠାରୁ ମୁକ୍ତ ହେବା ଜରୁରୀ। ‘

ସ୍ଥାନୀୟ ରୁଷିଆ ଗଣମାଧ୍ୟମ ଅନୁଯାୟୀ ୱାଗନର୍ ଗ୍ରୁପ୍‌ର ସୈନ୍ୟମାନେ ସେନା ମୁଖ୍ୟାଳୟ, ନଗର ପ୍ରଶାସନ ଭବନ, ରୁଷୀୟ ଗୁପ୍ତଚର (ଏଫ୍ଏସବି) କାର୍ଯ୍ୟାଳୟ ଏବଂ ସ୍ଥାନୀୟ ପୋଲିସ ଷ୍ଟେସନକୁ ଘେରାଉ କରିଛନ୍ତି । ୱାଗନର୍ ଗ୍ରୁପର ସୈନିକଙ୍କ ମଧ୍ୟରେ ରୁଷର କିଛି ଅସନ୍ତୁଷ୍ଟ ସେନା ମଧ୍ୟ ରହିଥିବା ଜଣାପଡ଼ିଛି । ମସ୍କୋର ଦକ୍ଷିଣରେ ଥିବା ଲିପେଟସ୍କ ଅଞ୍ଚଳର ଗଭର୍ଣ୍ଣର ଇଗୋର ଆର୍ଟାମୋନୋଭ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି ।

ଓ୍ବାଗନର ଗ୍ରୁପ୍ ମୁଖ୍ୟ ପ୍ରିଗୋଝିନ୍ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ଶୋଏଗୁ ଏବଂ ଜେନେରାଲ ଜେରାସିମୋଭଙ୍କୁ ହଟାଇବାକୁ ଦାବି କରିଛନ୍ତି।

Comments are closed.